ଯୋଗୀ ଓ ସଂଘ ପରିବାର ପ୍ରଶଂସାରେ ଆମେରିକାର ଖବର କାଗଜ, ବିଜେପିକୁ ନେଇ ରଖିଲା ଏଭଳି ମତ

438

କନକ ବ୍ୟୁରୋ : ଆମେରିକାର ପ୍ରମୁଖ ଖବରକାଗଜ ‘ୱାଲ ଷ୍ଟ୍ରିଟ୍ ଜର୍ନାଲ’ ତାର ମତାମତ ପୃଷ୍ଟାରେ ବିଜେପିକୁ ବିଶ୍ୱର ମହତ୍ୱପୂର୍ଣ୍ଣ ଦଳ ବୋଲି ଲେଖିଛି । ଆମେରିକାର ପ୍ରମୁଖ ଶିକ୍ଷାବିତ୍ ବାଲ୍ଟର ରସେଲ ମିଡଙ୍କ ଏହି ଲେଖାରେ କୁହାଯାଇଛି କି, ଆମେରିକାର ଦେଶ ହିତ ନଜରରେ ବିଜେପି ବିଶ୍ୱର ସବୁଠାରୁ ମହତ୍ୱପୂର୍ଣ୍ଣ ବିଦେଶୀ ରାଜନୈତିକ ପାର୍ଟି । ଏହାସହ ୨୦୨୪ ନିର୍ବାଚନ ଜିତିବା ପାଇଁ ବିଜେପି ଆଗକୁ ବଢୁଥିବା କଥା ସେ ଲେଖିଛନ୍ତି । ଏହାସହ ମିଡ ଲେଖିଛନ୍ତି କି ଆଗାମୀ ଦିନରେ ବିଜେପି ଏଭଳି ଏକ ଦେଶରେ ନିଜର ଦବଦବା ପ୍ରତିଷ୍ଠା କରିବାକୁ ଯାଉଛି ଯେଉଁ ଦେଶର ବଢୁଥିବା ଶକ୍ତିକୁ ଅନ୍ୟଦେଶମାନେ ଆମେରିକା ଓ ଚୀନର ବିନା ସହାୟତାରେ ଅଟକାଯାଇପାରିବ ନାହିଁ ।

ମିଡ ଆହୁରି ଲେଖିଛନ୍ତି କି, ଆମେରିକା ବିଶ୍ଳେଷକ, ଯେଉଁମାନେ ମୁଖ୍ୟତଃ ବାମ ବିଚାରଧାରାରେ ବିଶ୍ୱାସ କରନ୍ତି ସେମାନେ ମୋଦୀଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି । ଏହି ପ୍ରଶ୍ନ ଅମୁଳକ ନୁହେଁ ବୋଲି ମିଡ୍ କହିଛନ୍ତି । ସେ କହିଛନ୍ତି କି, ଯେଉଁ ସାମ୍ବାଦିକମାନେ ଭାରତର କ୍ଷମତାରେ ଥିବା ରାଜନୈତିକ ଦଳକୁ ଆଲୋଚନା କରୁଛନ୍ତି ସେମାନଙ୍କୁ ଉତ୍ପୀଡନ କିମ୍ବା ତା ଠାରୁ ଅଧିକ ଯନ୍ତ୍ରଣାଦାୟକ ବିରୋଧର ସାମ୍ନା କରିବାକୁ ପଡିପାରେ । ଏହାସହ ଭାରତୀୟ ଅଳ୍ପସଂଖ୍ୟକ, ଯେଉଁମାନେ ହିନ୍ଦୁବାଦୀ ବିଚାରଧାରାର ବିରୋଧୀ, ସେମାନଙ୍କୁ ଭିଡ ହିଂସା ଓ ଧର୍ମାନ୍ତରଣ ବିରୋଧୀ ଆଇନର ସାମ୍ନା କରିବାକୁ ପଡୁଛି ।

ମିଡ ଆରଏସଏସକୁ ପ୍ରଶଂସା ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି କି, ବିଜେପି ଭାରତର ପୂର୍ବୋତ୍ତର ରାଜ୍ୟମାନଙ୍କରେ ଉଲ୍ଲେଖନୀୟ ବିଜୟ ହାସଲ କରିଛି । ପାଖାପାଖି ୨୦କୋଟି ଜନସଂଖ୍ୟା ବିଶିଷ୍ଠ ଉତ୍ତର ପ୍ରଦେଶରେ ବିଜେପି ସରକାରଙ୍କୁ ସିୟା ସଂପ୍ରଦାୟର ମୁସଲମାନମାନେ ସମର୍ଥନ କରୁଛନ୍ତି । ଆରଏସଏସ କାର୍ଯ୍ୟକର୍ତ୍ତାମାନେ ଜାତିଗତ ଭେଦଭାବ ସହ ଲଡିବାକୁ ପ୍ରୟାସ ଜାରି ରଖିଛନ୍ତି ।

ସେପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ଭେଟକୁ ନେଇ ମିଡ୍ କହିଛନ୍ତି କି, ବିଜେପି ଓ ଆରଏସଏସ ମଧ୍ୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୋର ପୂର୍ଣ୍ଣ ବିଶ୍ୱାସ ଯେ ସଂଘ ପରିବାର ଧାର୍ମିକ ଉତ୍ସାହ ଥିବା ଲୋକଙ୍କ ସହ ମିଶି ଦୁନିଆର ସବୁଠାରୁ ଶକ୍ତିଶାଳୀ ନାଗରିକ ସମାଜ ସଂଗଠନ ପ୍ରସ୍ତୁତ କରିସାରିଛି ।