କୋର୍ଟଙ୍କ ଆଗରେ ନିସର୍ତ୍ତ କ୍ଷମା ମାଗିଲେ ବିବେକ ଅଗ୍ନିହୋତ୍ରୀ, ଜାଣନ୍ତୁ କାହିଁକି ?

1,151

କନକ ବ୍ୟୁରୋ : ଦିଲ୍ଲୀ ହାଇକୋର୍ଟଙ୍କ ସାମ୍ନାରେ ଉପସ୍ଥିତ ରହି ସିନେମା ପ୍ରଯୋଜକ ବିବେକ ଅଗ୍ନିହୋତ୍ରୀ ନିସର୍ତ୍ତ କ୍ଷମା ମାଗିଛନ୍ତି । ବିବେକ କହିଛନ୍ତି କି, ମୁଁ ନ୍ୟାୟପାଳିକାକୁ ସମ୍ମାନ କରେ । କୋର୍ଟଙ୍କୁ ଅବମାନନା ମାମଲାରେ ସିନେ ପ୍ରଯୋଜକ ବିବେକ ଅଗ୍ନିହୋତ୍ରୀ ସୋମବାର ଦିନ କୋର୍ଟଙ୍କ ସାମ୍ନାରେ ହାଜର ହୋଇଥିଲେ । ବିବେକ ବର୍ତ୍ତମାନ ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଥିବା ଜଷ୍ଟିସ ଏସ୍ ମୂରଲୀଧରଙ୍କ ବିରୋଧରେ ଟ୍ୱିଟରରେ କରିଥିବା ଏକ ବିବାଦୀୟ ପୋଷ୍ଟପାଇଁ କ୍ଷମା ମାଗିଛନ୍ତି ।

ଏବେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୂରଲୀଧର ଭୀମା କୋରେଗାଓଁ ମାମଲାର ମୁଖ୍ୟ ଅଭିଯୁକ୍ତ ଗୌତମ ନବଲାଖାଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହାକୁ ବିରୋଧ କରି ବିବେକ କିଛି ଟ୍ୱିଟ୍ କରିଥିଲେ । ଏହାପରେ ଏହାକୁ ନେଇ କୋର୍ଟ ନିନ୍ଦା କରିବାରୁ ସେ ଟ୍ୱିଟକୁ ଡିଲିଟ୍ କରିଥିଲେ । ଏହାପରେ ବି କୋର୍ଟ ବିବେକଙ୍କୁ ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ ଆଦେଶ ଦେଇଥିଲେ ।

ମାର୍ଚ୍ଚ ୧୬ ତାରିଖରେ ଏହି ମାମଲାର ଶୁଣାଣି ବେଳେ ବିବେକ କୋର୍ଟରେ ହାଜର ହୋଇନଥିଲେ । ଏହାକୁ ନେଇ କୋର୍ଟ ସେତେବେଳେ କଡା ଟିପ୍ପଣୀ କରିଥିଲେ ଓ ପୁଣି ଏହି ମାମଲାର ଶୁଣାଣି ଏପ୍ରିଲ ୧୦ ତାରିଖକୁ ସ୍ଥିର କରିଥିଲେ । ଆଜି କୋର୍ଟରେ ହାଜର ହୋଇ ବିବେକ କୋର୍ଟଙ୍କ ସାମ୍ନାରେ ନିସର୍ତ୍ତ କ୍ଷମା ମାଗିଛନ୍ତି ।

ସୂଚନା ଥାଉକି ଭୀମାକୋରେଗାଓଁ ମାମଲାର ମୁଖ୍ୟ ଅଭିଯୁକ୍ତ ଗୌତମ ନବଲଖାଙ୍କୁ କୋର୍ଟ ଜାମିନ ପ୍ରଦାନ କରିବା ପରେ ବିବେକ ଅଗ୍ନିହୋତ୍ରୀ ଜଷ୍ଟିସ ଏସ୍ ମୂରଲୀଧରଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ବିବେକ ଲେଖିଥିଲେ କି ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୂରଲୀଧରଙ୍କ ସ୍ତ୍ରୀ ଉଷା ରାମନାଥନଙ୍କ ସହ ଗୌତମ ନବଲଖାଙ୍କର ବନ୍ଧୁତା ଥିବାରୁ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।