ବିଧାୟକଙ୍କୁ ଗ୍ରାମବାସୀଙ୍କ ବିରୋଧ : ଆଦର୍ଶ ଗାଁ ଭାବେ ଉଦଘାଟନୀ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ବାଟରେ ଅଟକାଇଲେ ଜନତା

183

କନକ ବ୍ୟୁରୋ : ଉଦଘାଟନ କରିବାକୁ ଯାଇଥିବା ବିଧାୟକଙ୍କୁ ଗାଁ ଭିତରକୁ ପୂରାଇ ଦେଲନି ଗ୍ରାମବାସୀ । ବନ୍ଦ ରହିଲା ଆଦର୍ଶ ଗ୍ରାମ ଉଦଘାଟନ । ନୟାଗଡ଼ ନୂଆଗାଁ ଚଢେଇମରା ଆଦର୍ଶ ଗାଁ ଉଦଘାଟନ କରିବାର ଥିଲା । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉଦଘାଟନ କରିବାର ଥିଲା । ଦିନ ୧୦ଟାରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ ବୋଲି ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଗ୍ରାମବାସୀ ନିଜ କାମ ଛାଡି ଅତିଥିଙ୍କୁ ଅପେକ୍ଷା କରିଥିଲେ । ହେଲେ ଦିନ ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ଅତିଥିମାନେ ଆସିନଥିଲେ ।

ଏହାର କିଛି ସମୟ ପରେ ଦଶପଲ୍ଲା ବିଧାୟକ, ଉଦୟପୁର ସରପଞ୍ଚ, ସମିତି ସଭ୍ୟ, ନୂଆଗାଁ ବିଡିଓ ସେହି ଗାଁ ଦେଇ ଅନ୍ୟ ଏକ ପ୍ରକଳ୍ପ ଦେଖିବା ପାଇଁ ଯାଇଥିଲେ । ଏହାକୁ ନେଇ ଅପେକ୍ଷା କରିଥିବା ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହାର ପ୍ରାୟ ୩୦ ମିନିଟ୍ ପରେ ଅତିଥିମାନେ ଚଢେଇମରା ଗାଁରେ ପହଞ୍ଚିଥିଲେ । ଏହା ଦେଖି ଗ୍ରାମବାସୀ ସେମାନଙ୍କୁ ବିରୋଧ କରିବା ସହ ଗାଁ ଭିତରକୁ ଯିବାକୁ ଛାଡିନଥିଲେ । ଭିତରକୁ ଯିବାକୁ ଦେବୁନି କି ଆଦର୍ଶ ଗାଁ ଉଦଘାଟନ ହୋଇପାରିବ ନାହିଁ ବୋଲି ଗାଁଲୋକେ ରୋକଠୋକ୍ ଶୁଣାଇ ଦେଇଥିଲେ । ଫଳରେ ବିଧାୟକଙ୍କ ସହ ଅନ୍ୟ ସରକାରୀ କର୍ମଚାରୀ ବି ଫେରିଯାଇଥିଲେ ।