ଚର୍ମରୋଗରେ ପୀଡିତ ପରିବାର ପାଇଁ ବାସନ୍ଦ ହେଲେ ଗ୍ରାମବାସୀ । ମଙ୍କିପକ୍ସ ଗୁଜବ ଯୋଗୁଁ ସବୁଠାରେ ଲାଗିଲା ପ୍ରତିବନ୍ଧକ ।

120

କନକ ବ୍ୟୁରୋ: ଗୁଜବ କେତେ ଭୟଙ୍କର ହୋଇପାରେ, ଦୁଃଖ ବଢ଼ାଇ ଦେଇପାରେ, ସାମାଜିକ ବାଛନ୍ଦ ଭଳି ପରିସ୍ଥିତି ସୃଷ୍ଟି କରିପାରେ ସେଭଳି ଏକ ଖବର ଆସିଛି କେନ୍ଦ୍ରାପଡାରୁ । ବେଙ୍ଗାଲୁରୁରେ କାମ କରୁଥିବା ଜଣେ ଯୁବକ ଚର୍ମ ରୋଗରେ ଆକ୍ରାନ୍ତ ହୋଇ ନିଜ ଗାଁକୁ ଚାଲି ଆସିଥିଲେ । ଆଉ ଗାଁରେ ତାଙ୍କର ମୃତ୍ୟୁ ହେବା ପରେ ମଙ୍କିଫକ୍ସ ଆକ୍ରାନ୍ତ ଯୋଗୁଁ ତାଙ୍କର ଜୀବନ ଯାଇଥିବା ଗୁଜବ ବ୍ୟାପି ଯାଇଥିଲା । ଏହି ଗୁଜବ ବ୍ୟାପିବା ପରେ ପୂରା ଗାଁକୁ ସାମାଜିକ ବାସନ୍ଦ କରିଛନ୍ତିି ଆଖପାଖର ଗାଁ ଲୋକ । ଯାହା ବଢ଼ାଇ ଦେଇଛି ଦୁର୍ଦଶା ।

ନିଜର ରୋଜଗାରିଆ ପୁଅକୁ ହରାଇଥିବା ମାଆ- ଆଖିରୁ ଲୁହ ସରୁନି । ପୁଅ ନିଲୁ ସିଧୁ ବେଙ୍ଗାଲୁରୁରେ କାମ କରୁଥିଲା । ହେଲେ ସେଠାରେ ଚର୍ମ ରୋଗରେ ଆକ୍ରାନ୍ତ ହେବା ପରେ ସେ ଗାଁକୁ ପଳାଇଆସିଥିଲେ । ପ୍ରଥମେ କେନ୍ଦ୍ରାପଡ଼ା ହସ୍ପିଟାଲ ଓ କଟକରେ ଚିକିତ୍ସା କରାଇ ଗାଁକୁ ଫେରିଆସିଥିଲେ । ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ସହ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ସମୟ ଭିତରେ ତାଙ୍କ ସ୍ତ୍ରୀ ଓ ପିଲାମାନେ ଏହି ଚର୍ମ ରୋଗରେ ଆକ୍ରାନ୍ତ ହୋଇସାରିଥିଲେ । ଏହାପରେ ଗାଁରେ ଗୁଜବ ଖେଳିଗଲା ଯେ, ନିଲୁ ମକ୍ସିପକ୍ସ କିମ୍ବା କରୋନାରେ ମରିଯାଇଛନ୍ତି ବୋଲି ଆଉ ଏହି ଗୁଜବ ପରେ ନିଲୁଙ୍କ ପରିବାର ସହ ପୁରା ଗାଁକୁ ଆଖପାଖ ଗାଁର ଲୋକ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡ଼ାର ଶ୍ୟାମସୁନ୍ଦରପୁର ପଞ୍ଚାୟତର ଏହି ବିରିବାଟି ଗାଁର ଅଧିକାଂଶ ଲୋକ ଆଦିବାସୀ । ସାମାଜିକ ବାସନ୍ଦ ଯୋଗୁଁ ଗାଁ ଲୋକଙ୍କ ଚଳିବା ଖୁବ କଷ୍ଟକର ହୋଇପଡ଼ିଛି । ଗାଁ ବାହାରକୁ ଯାଇ ମୂଲ ମଜୁରୀ କରି ଏମାନେ ପେଟ ପୋଷନ୍ତି । ହେଲେ ବାସନ୍ଦ ଯୋଗୁଁ ନା ବାହାରକୁ ଯାଇପାରୁଛନ୍ତି, ନା କିଛି ରୋଜଗାର କରିପାରୁଛନ୍ତି । ଖାଲି ଏତିକି ନୁହେଁ ପିଲାଙ୍କୁ ସ୍କୁଲକୁ ଯିବା ମଧ୍ୟ ବନ୍ଦ ହୋଇଯାଇଛି । ଏନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଚର୍ମ ରୋଗ ନେଇ ଗାଁ ଲୋକ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ହେଲେ ଏଯାଏଁ କୌଣସି ଡାକ୍ତରୀ ଟିମ୍ ଗାଁରେ ନପହଞ୍ଚିବାକୁ ନେଇ ପ୍ରଶ୍ନ ଉଠିଛି ।