ବରିଷ୍ଠ ପୁଲିସ ଅଧିକାରୀଙ୍କ ହତ୍ୟାରେ ଦୋହଲିଗଲା ହରିୟାଣା: ଡମ୍ଫର ଚଢାଇ ଡିଏସପି ସୁରେନ୍ଦ୍ର ସିଂଙ୍କୁ ହତ୍ୟା କଲେ ଖଣି ମାଫିଆ

171

କନକ ବ୍ୟୁରୋ: ଡିଏସପିଙ୍କ ଉପରକୁ ଡମ୍ପର ଚଢାଇଦେଲେ ଖଣି ମାଫିଆ । ପଥରଖନନ ପାଈଁ ରୋକିବାକୁ ଯାଇଥିବା ବେଳେ ଗାଡି ଚଢାଇଦେଲେ ମାଫିଆ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି । ହରିୟାଣା ନୁଂହର ପଚଗାଓଁ ଗାଁରୁ ଆସିଛି ଏଭଳି ଲୋମହର୍ଷଣକାରୀ ଚିତ୍ର ।

ସମୟର ପାଖାପାଖି ଦିନ ୧୧ଟାରୁ ୧୨ଟା । ସ୍ଥାନ ହରିଆଣା ନୂହଁର ପଂଚ ଗାଁ । ଏଠାରେ ବେଆଇନଭାବେ ଖଣି ଖନନ ହେଉଥିବା ଖବର ପାଇ ପହଁଚିଥିଲେ ତାବୁଡର ଡିଏସପି ସୁରେନ୍ଦ୍ର ସିଂ । ପଂଚ ଗାଁ ନିକଟରେ ଥିବା ପାହାଡ ଉପରେ ବେଆଇନ ଖନନ ରୋକିବା ପାଇଁ ସେଠାରେ ପହଁଚିଥିଲେ ଏହି ବରିଷ୍ଠ ପୁଲିସ ଅଧିକାରୀ । ପାହାଡରେ ବେଆଇନ୍ ଖଣି ଖନନର ସୂଚନା ପାଇଁ ଅନୁସନ୍ଧାନ କରିବାକୁ ଯାଇଥିଲେ ଡିଏସପି । ଖଣି ମାଫିଆମାନେ ବେଆଇନ ଭାବେ ଖଣି ଖନନ କରି ନେଉଥିବାବେଳେ ଅଟକାଇବାକୁ ସେ ଚେଷ୍ଟା କରି ଥିଲେ । ସୁରେନ୍ଦ୍ର ବେଆଇନ ଖଣି ନେଇ ଯାଉଥିବା ଡମ୍ଫରକୁ ଅଟାଇବାକୁ ଚେଷ୍ଟା କରିଥିଲେ । ଆଉ ଏହି ସମୟରେ ଡିଏସପିଙ୍କ କଥା ନଶୁଣି ଦ୍ରୁତ ଗତିରେ ଡିଏସପିଙ୍କ ଉପରେ ଡମ୍ଫର ଚଢାଇ ଦେଇଥିଲା ମାଫିଆ ।

ଘଟଣାସ୍ଥଳରେ ହିଁ ଡିଏସପି ସୁରେନ୍ଦ୍ରଙ୍କ ମୃତ୍ୟୁ ହେବା ସହ ଅପରାଧୀ ଛୁ ମାରିଥିଲା । ଏହି ଜଘନ୍ୟ ହତ୍ୟା ଘଟଣାରେ ପରେ ପ୍ରତିକ୍ରିୟା ରଖିଛନ୍ତି ହରିଆଣା ସରକାର । ଅପରାଧୀଙ୍କୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।

ଡିଏସପି ସୁରେନ୍ଦ୍ର ସିଂ ଚଳିତ ବର୍ଷ ଅକ୍ଟୋବରରେ ଅବସର ନେଇଥାନ୍ତେ । ହେଲେ ଖଣି ମାଫିଆ ଡମ୍ଫର ଚଳେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ସେପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟ ଏବେ ଖଣି ମାଫିଆଙ୍କ ହାତରେ ଥିବା କହିଛି କଂଗ୍ରେସ । ଖଟ୍ଟର ସରକାର ସବୁ ଜାଣି ମଧ୍ୟ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କଣ ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି ବୋଲି ଦଳ ପ୍ରଶ୍ନ କରିଛି ।

ନୁଂହରେ ଡିଏସପି ସୁରେନ୍ଦ୍ର ସିଂଙ୍କ ହତ୍ୟା ପରେ ସକ୍ରିୟ ହୋଇଛନ୍ତି ହରିୟାଣା ସରକାର । ଗୃହମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ କହିଛନ୍ତି ଯଦି ଆମକୁ ଆଖପାଖ ଜିଲ୍ଲାରେ ଫୋର୍ସ ନିୟୋଜନ କରିବାକୁ ହେବ, ତେବେ ଆମେ ତାହା କରିବୁ । ହେଲେ ଖଣି ମାଫିଆକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ହରିୟାଣାରେ ଖଣି ମାଫିଆଙ୍କ ଆକ୍ରମଣ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ବି ଅନେକ ବାର ଖଣି ମାଫିଆ ବେଧଡକ ଅପରାଧ କରି କେବେ ହତ୍ୟାତ ପୁଣି କେବେ ବଡ ଧରଣର ଅପହରଣ କରି ରାଜ୍ୟକୁ ଦୋହାଲାଇଛନ୍ତି । ବର୍ତମାନ ପ୍ରଶ୍ନ ଉଠୁଛି ସୁରକ୍ଷା ପାଇଁ ନିୟୋଜିତ ପୁଲିସ ଉପରେ ଯଦି ଏଭଳି ଆକ୍ରମଣ କରାଯାଏ ତେବେ ଖଣି ମାଫିଆଙ୍କ କବଳରୁ କିଭଳି ହରିଆଣା ଓ ଏହାର ପ୍ରାକୃତିକ ସମ୍ପଦ ଏବଂ ଲୋକଙ୍କୁ ସୁରକ୍ଷା ଦିଆଯିବ ?