ଭିଜିଲାନ୍ସ ଖୋଳୁଛି ନିଯୁକ୍ତି ଦୁର୍ନୀତିର ଗୁମର । ବିରଞ୍ଚିଙ୍କ ଘରୁ ମିଳିଥିବା ୧୧୪ଟି ଆଡମିଟ କାର୍ଡକୁ ନେଇ ତନାଘନା, ସ୍କାନରରେ ୭ ପ୍ରାର୍ଥୀ ।

206

କନକ ବ୍ୟୁରୋ: ଓଡିଶା ଷ୍ଟାଫ ସିଲେକନଓ କମିଶନରେ ଦୁର୍ନୀତିର ଚେର ଖୋଜୁଥିବା ଭିଜିଲାନ୍ସ ବିରଞ୍ଚି ସାହୁଙ୍କୁ ଘନ ଘନ ଜେରା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଯଦିଓ ଏହି ରାକେଟରେ ଅନ୍ୟ କେହି ସାମିଲ ଅଛି, ସେ ନେଇ ତଦନ୍ତକାରୀ ସଂସ୍ଥା କୌଣସି ତଥ୍ୟ ଦେଉ ନାହିଁ । ହେଲେ ବିରଞ୍ଚିଙ୍କ ଘରୁ ମିଳିଥିବା ଆଡମିଟ କାର୍ଡ ଓ ତାଙ୍କ ପତ୍ନୀ କରିଥିବା ଇନସ୍ୟୁରାନ୍ସକୁ ନେଇ ତଦନ୍ତ ଆଗକୁ ବଢିଛି । ବିରଞ୍ଚି ସାହୁଙ୍କ ଘରୁ ମିଳିଥିବା ଆଡମିଟ୍ କାର୍ଡରୁ ୭ ଜଣଙ୍କ ବାବଦରେ ଅଧିକ ତଥ୍ୟ ହାସଲ କରାଯାଉଛି, ସେହିଭଳି ବିରଞ୍ଚିଙ୍କ ପତ୍ନୀଙ୍କ ନିକଟରେ ଇନସ୍ୟୁରାନ୍ସ କରିଥିବା ୨୧ ଜଣ ଏବେ ଭିଜିଲାନ୍ସ ରାଡାର ଭିତରକୁ ଆସିଛନ୍ତି ।

ବିରଞ୍ଚି ସାହୁଙ୍କ ଘରୁ ଜବତ ହୋଇଥିବା ୧୧୪ ଜଣଙ୍କ ଆଡମିଟ୍ କାର୍ଡ ଭିତରୁ ୧୦୬ ଜଣଙ୍କ କେଉଁଠି ନିଯୁକ୍ତି ମିଳିନଥିବା ବେଳେ ସ୍କାନରରେ ରହିଛି ୭ ଜଣଙ୍କ ଆଡ୍ମିଡ୍ କାର୍ଡ । ଯେହେତୁ ଆଡମିଟ୍ କାର୍ଡ ଜରିଆରେ ନିଯୁକ୍ତି ଦୁର୍ନୀତିର ସମ୍ଭାବନା ରହିଛି, ତେଣୁ ଏହି ୭ ଜଣ କେଉଁଠି ଚାକିରି ପାଇଛନ୍ତି କି ନାହିଁ, ତାହା ଭିଜିଲାନ୍ସର ତଦନ୍ତ ପରିସରରେ ରହିଛି ।

କିନ୍ତୁ ପ୍ରଶ୍ନ ହେଉଛି- ମେରିଟ ଲିଷ୍ଟରେ ନଥିବା ପିଲାଙ୍କ ଆଡମିଟ୍ କାର୍ଡ କାହିଁକି ରଖିଥିଲେ ବିରଞ୍ଚି? ବିରଞ୍ଚିଙ୍କ ପାଖକୁ କେଉଁଠୁ ଓ କାହିଁକି ଆସିଲା ଆଡମିଟ୍ କାର୍ଡ? ଏହା ପଛରେ କଣ ଥିଲା ଉଦ୍ଦେଶ୍ୟ? ମେରିଟ ଲିଷ୍ଟରେ ନାଁ ନଥିବା ପିଲାମାନଙ୍କ ସହ ଡିଲ କରି ବଡ ଧରଣର ଦୁର୍ନୀତି ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ କି ବିରଞ୍ଚିି? ଏପଟେ ଜୀବନବୀମା ଏଜେଣ୍ଟ ଭାବେ କାମ କରୁଥିବା ବିରଞ୍ଚିଙ୍କ ପତ୍ନୀ, ୨୧ ଜଣ ଚାକିରି ଆଶାୟୀଙ୍କଠାରୁ ଜୀବନବୀମା କରିଥିବା ସୂଚନା ଦେଇଛନ୍ତି ଏସପି ।

ବିରଞ୍ଚି ସାହୁ ଗିରଫ ହେବା ଦିନଠାରୁ ଓଏସଏସସିର ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠୁଛି । ଠିକ୍ ଏତିକି ବେଳେ ଦୁର୍ନୀତିରେ କେବଳ ପିଏସ ନୁହେଁ କମିଶନଙ୍କ ସମସ୍ତ ସଦସ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି । କମିଶନ ନିଜ ଆଡ଼ୁ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୁଅନ୍ତୁ ବୋଲି ସେ ଦାବି କରିଛନ୍ତି । ଆଉ ଏସବୁ ଭିତରେ କିନ୍ତୁ ଓଏସଏସସିର ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ନେଇ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି ।