କଟକଣା ଭିତରେ ମଲ୍ ଖୋଲିଲା, ଚାଲିଲା ସିନେମା ହଲ୍ । ହେଲେ ଆସୁନାହାଁନ୍ତି ଲୋକ । ମଲ୍ ପାଇଁ ଅଡୁଆ ହେଉଛି ଟିକାର ଦୁଇଟି ଡୋଜର ପ୍ରମାଣପତ୍ର । ନୂଆ ସିନେମା ନଥିବାରୁ ହଲ ଖାଲି ।

151
  • କୋଭିଡ କଟକଣାରେ ଖୋଲୁଛି ଦୋକାନ ବଜାର
  • ହଲକୁ ଆସୁ ନାହାନ୍ତି ଦର୍ଶକ, ଖାଁ ଖାଁ ସପିଙ୍ଗ୍ ମଲ୍

କୋଭିଡ କଟକଣା ଭିତରେ ସିନେମା ହଲ ସାରା ରାଜ୍ୟରେ ଖୋଲିଲାଣି । କୋଭିଡ ଗାଇଡଲାଇନ ପାଳନ ହେଉଛି କିନ୍ତୁ ଫିଲ୍ମ ଦେଖିବାକୁ ଆସୁନାହାନ୍ତି  ଦର୍ଶକ । ରାଜଧାନୀର କେଶରୀ ଟକିଜରେ ଆଜି ଏକ ହଲିଉଡ ଫିଲ୍ମ ଚାଲିଥିବାବେଳେ କେବଳ ୭/୮ ଜଣ ଦର୍ଶକ ଫିଲ୍ମ ଦେଖୁଥିବା ଦେଖିବାକୁ ମିଳିଛି ।

ସେହିପରି କଟକର ବୃନ୍ଦାବନ୍ଦ ଟକିଜରେ କେବଳ ଫିଲ୍ମ ୫/୬ ଜଣ ଦର୍ଶକରେ ହଲ୍ ଚାଲିଛି । ନୂଆ ଫିଲ୍ମ ପଡିନଥିବାରୁ ହଲ ଖାଲି ପଡିଛି । ସେପଟେ ଜୟପୁର ସହରର ସମସ୍ତ ଫିଲ୍ମ ହଲ ଖୋଲିଲାଣି କିନ୍ତୁ ନୂଆ ଫିଲ୍ମ ରିଲିଜ ହୋଇନଥିବାରୁ ହଲ ଚାଲୁ ନାହିଁ । ଦର୍ଶକ ମଧ୍ୟ ଫିଲ୍ମ ଟକିଜକୁ ଆସି ନିରାଶ ହୋଇ ଘରକୁ ଫେରୁଛନ୍ତି ।

ସିନେମା ହଲ ଭଳି ସପିଙ୍ଗ୍ ମଲରେ ମଧ୍ୟ ଗ୍ରାହକଙ୍କ ମରୁଡି । ଦୋକାନୀ ମଲ ଖୋଲି ବସିଛନ୍ତି କିନ୍ତୁ ଗ୍ରାହକ ଆସୁ ନାହାନ୍ତି । ମଲକୁ ପ୍ରବେଶ ପାଇଁ କୋଭିଡ ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣ ପତ୍ର ବାଧ୍ୟତାମୂଳକ । ତେଣୁ ଗ୍ରାହକ ଆସୁନଥିବା କହିଛନ୍ତି ମଲ କର୍ମଚାରୀ ।

ସେପଟେ ୪ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଜିମ ଓ ପାର୍ଲର ମାଲିକ ସଂଘ । ଜିମ, ବ୍ୟୁଟି ପାର୍ଲରକୁ ଏମଏସଏମଇରେ ଅନ୍ତର୍ଭୁକ୍ତ କରିବା , ହୋଲଡିଂ ଟ୍ୟାକ୍ସ ହ୍ରାସ କରିବା , ସମସ୍ତ ମାଲିକଙ୍କୁ ଋଣ ଯୋଗାଇଦେବା  ସହ ଇଏମଆଇ ଛାଡ ପାଇଁ ସେମାନେ ଦାବି କରିଛନ୍ତି । ଯଦି ସରକାର ୧୫ ଦିନ ଭିତରେ ଦାବି ପୂରଣ ନକଲେ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତେଇ ଦେଇଛନ୍ତି  ଜିମ୍ ଓ ବ୍ୟୁଟି ପାର୍ଲର ମାଲିକ ସଂଘ ।