ଟୋକିଓରେ ମ୍ୟାଚ ହାରିଲେ ବି ହୃଦୟ ଜିତିଲେ ଭାରତୀୟ ମହିଳା ହକି ଦଳର ଖେଳାଳି । ଶେଷ ସମୟ ଯାଏଁ କଲେ ସଂଘର୍ଷ, ୪-୩ ଗୋଲରେ ଜିତିଲା ଗ୍ରେଟ ବ୍ରିଟେନ ।

158

କନକ ବ୍ୟୁରୋ: ପୁରୁଷ ହକି ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିବା ପରେ ସମସ୍ତଙ୍କ ନଜର ରହିଥିଲା ମହିଳା ହକି ଦଳର ପ୍ରଦର୍ଶନ ଉପରେ । କାହିଁକି ନା, ୧୯୮୦ ମସିହା ପରେ ଅଲିମ୍ପିକ୍ସରେ ଏହା ଥିଲା ମହିଳା ହକି ଦଳର ଦ୍ୱିତୀୟ ପଦାର୍ପଣ । ଏହି କ୍ରୀଡା ମହାକୁମ୍ଭରେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହେଇଛି ଭାରତୀୟ ମହିଳା ହକି ଟିମ୍ । ଆଜିର ମ୍ୟାଚକୁ ୪-୩ ଗୋଲରେ ଜିତି ନେଇଛି ଗ୍ରେଟ୍ ବ୍ରିଟେନ୍ । ହେଲେ ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଦେଇଥିଲା ଶ୍ରେଷ୍ଠ ପ୍ରଦର୍ଶନ ।

ଭାରତ ପକ୍ଷରୁ ଗୁରଜିତ କୌର ଦୁଇଟି ଓ ବନ୍ଦନା କଟାରିଆ ଗୋଟିଏ ଗୋଲ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଭାରତ ଆଗୁଆ ଥିବା ବେଳେ ପର ସମୟରେ ମ୍ୟାଚ ଛଡ଼ାଇ ନେଇଥିଲା ବ୍ରିଟେନ୍ । କିନ୍ତୁ ସବୁ କ୍ୱାଟରରେ ରାନୀ ରାମପାଲଙ୍କ ଦଳ କଡ଼ା ମୁକାବିଲା କରିଥିଲା । ପ୍ରତିରକ୍ଷାଠାରୁ ଆକ୍ରମଣ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଥିଲା ଭାରତ । ମ୍ୟାଚ ହାରିଥିଲେ ବି ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ଦେଶବାସୀଙ୍କ ହୃଦୟ ଜିଣି ନେଇଛି ଭାରତୀୟ ମହିଳା ହକି ଦଳ ।

ଆଜି ଭାରତ ହାରିବା ପରେ କାନ୍ଦି ପକାଇଥିଲେ ପୂର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କୀ । ଖେଳାଳୀଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ମହିଳା ଟିମ ଲଢୁଆ ପ୍ରଦର୍ଶନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଦିଲ୍ଲୀପ । ସେପଟେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହିବା ପରେ ଖେଳାଳିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲା ବେଳେ କାନ୍ଦି ପକାଇଥିଲେ ମହିଳା ଖେଳାଳି । ମୋଦୀ କହିଛନ୍ତି, ନିରାଶା ହେବାର ନାହିଁ, ଏହି ଦଳ ପାଇଁ ଗର୍ବ ଅନୁଭବ କରୁଛି ଦାରା ଦେଶ ।

ମହିଳା ହକି ଦଳର ଲଢ଼ୁଆ ପ୍ରଦର୍ଶନ ପରେ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେସିଂ ଜରିଆରେ ମହିଳା ଖେଳାଳିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମ୍ୟାଚ ହାରିଗଲେ କିନ୍ତୁ ହୃଦୟ ଜିତିଲେ ବୋଲି କହିଛନ୍ତି ନବୀନ । ଏହାସହ ମହିଳା ହକି ଦଳକୁ ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଲିମ୍ପିକ୍ସରେ ଡାର୍କହର୍ସ ପାଲଟିଥିବା ମହିଳା ହକି ଟିମ୍ ପଦକ ଲଢେଇରେ ହାରିଯାଇଛି ସତ, ହେଲେ କୋଟି କୋଟି ହକିପ୍ରେମୀଙ୍କ ହୃଦୟ ଜିତିନେଇଛି । ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହେଉଛି ଓଡ଼ିଶା । ପୁରୁଷ ଦଳକୁ ୧୬ ତାରିଖ ଦିନ ଓ ୧୭ ତାରିଖରେ ମହିଳା ହକି ଦଳକୁ ଭୁବନେଶ୍ୱରରେ ଦିଆଯିବ ସମ୍ବର୍ଦ୍ଧନା ।