ନ୍ୟାୟ ପାଇଁ ନିର୍ଯାତିତା ମହିଳାଙ୍କ ଲଢେଇ । ଚିକିତ୍ସାଧିନ ଅବସ୍ଥାରେ ସାକ୍ଷୀ ଦେବା ପାଇଁ ଆମ୍ବୁଲାନ୍ସରେ କୋର୍ଟ ଆସିଲେ ପୀଡିତା

129

କନକ ବ୍ୟୁରୋ : କୋର୍ଟ ଆସିଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ କୋର୍ଟକୁ ଆସିଥିଲେ ଶାଶୁଘରେ ନିର୍ଯାତିତ ହୋଇଥିବା ଜଣେ ପୀଡିତା । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଜଗନ୍ନାଥ ନଗର ବାସିନ୍ଦା ହେଉଛନ୍ତି ରାମେଶ୍ୱର ପାଣିଗ୍ରାହୀ । ଏଇ ଆମ୍ବୁଲାନ୍ସରେ ଆସିଥିବା ମହିଳା ଜଣଙ୍କ ହେଉଛନ୍ତି ରାମେଶ୍ୱରଙ୍କ ବଡଝିଅ ରସ୍ମିତା । ରସ୍ମିତାଙ୍କ ଶିକ୍ଷାଗତ ଯୋଗ୍ୟତା ଏମଏସସି । ୨୦୧୫ରେ ରସ୍ମିତା ପଦ୍ମପୁର ଅଂଚଳର ରାମଚନ୍ଦ୍ର ପାଢୀଙ୍କୁ ବିବାହ କରିଥିଲେ । ସାଂସାରି କଜୀବନ ଠିକଠାକ ଚାଲିଥିଲା । ବାହା ହେବାର ଦୁଇବର୍ଷ ପରେ ଶାଶୁଘର ପକ୍ଷରୁ ଆରମ୍ଭ ହୋଇଗଲା ନିର୍ଯାତନା । ଆଉ ଏହି ନିର୍ଜତନା ୨୦୨୨ରେ ଉଗ୍ରରୂପ ଧାରଣ କରିଥିଲା । ଶାଶୁଘର ଲୋକେ ରସ୍ମିତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ରସ୍ମିତାଙ୍କ ପରିବାର ବର୍ଗ । ନିଆଁରେ ରସ୍ମିତାଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ଜଳିଯାଇଛି । ଆଜି ବି ତାଙ୍କ ଚିକିତ୍ସା ଜାରି ରହିଛି । କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେତେବେଳେ ଏହି ଘଟଣାକୁ ନେଇ ପଦ୍ମପୁର ଥାନର ଦ୍ୱାରସ୍ଥ ହୋଇ ସ୍ୱାମୀ ଓ ଦେଢଶୁରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ ରସ୍ମିତାଙ୍କ । ଏବେ ସେହି ମାମଲାର ସାକ୍ଷ୍ୟ ଗ୍ରହଣ ଚାଲିଛି । ତେଣୁ ଆମ୍ବୁଲାନ୍ସ ଯୋଗେ ଆଜି କଟକରୁ ଗୁଣୁପୁର ଉପବିଚାରପତିଙ୍କ ଅଦାଲତକୁ ଆସିଥିଲେ । ଅସୁସ୍ଥତାକୁ ପିଠି କରି ନିର୍ଯାତନା ସଂପର୍କରେ ବୟାନ ରଖିବା ପାଇଁ କୋର୍ଟରେ ପହଂଚିଥିଲେ ରଶ୍ମିତା ।