ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ । ଉତରପ୍ରଦେଶର ଇଶିତା କିଶୋର ଟପ୍ପର, ପ୍ରଥମ ୪ ସ୍ଥାନ ଅଧିକାର କଲେ ଝିଅ

1,088

କନକ ବ୍ୟୁରୋ : ଦେଶର ସବୁଠୁ ବଡ଼ ସରକାରୀ ଚାକିରି ପାଇଁ ହୋଇଥିବା ୟୁପିଏସସି ୨୦୨୨ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଉତରପ୍ରଦେଶର ଝିଅ ଇଶିତା କିଶୋର ଟପ୍ପର ହୋଇଛନ୍ତି । ବଡ କଥା ହେଉଛି ପ୍ରଥମ ୪ ଟି ସ୍ଥାନରେ ରହିିଛନ୍ତି ଝିଅ । ଇଷିତା କିଶୋର ଟପ୍ପର ହୋଇଥିବା ବେଳେ ଗରିମା ଲୋହିଆ, ଉମା ହାରଥୀ ଏନ୍ ଏବଂ ସ୍ମ୍ରିତି ମିଶ୍ର ଯଥାକ୍ରମରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ରାଜନୀତି ବିଜ୍ଞାନ ଓ ଇଂଟରନ୍ୟାସନାଲ ରିଲେସନ୍ ବିଷୟ ରଖି ଇଶିତା କିଶୋର ୟୁପିଏସ୍ସି ପରୀକ୍ଷାରେ ପ୍ରଥମ ସ୍ଥାନ ପାଇଛନ୍ତି ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଶ୍ରୀରାମ କଲେଜ ଅଫ୍ କମର୍ସରୁ ଅର୍ଥନୀତିରେ ସ୍ନାତକ ପାଇଥିଲେ ସେ । ଶୃଙ୍ଖଳା ଭିତରେ ରହି ଆନ୍ତରିକତାର ସହ ପାଠ ପଢିଲେ ସଫଳତା ପାଇପାରିବେ ବୋଲି କହିଛନ୍ତି ଟପ୍ପର ଇଷିତା କିଶୋର ।

ପରୀକ୍ଷା ଫଳର ସମୀକ୍ଷା କଲେ ପୁଅଙ୍କ ତୁଳନାରେ ଝିଅଙ୍କ ପ୍ରଦର୍ଶନ ଖରାପ ରହିଛି । କିନ୍ତୁ ଶୀର୍ଷ ସ୍ଥାନ ଅଧିକାର କରିବାରେ ଆଗୁଆ ରହିଛନ୍ତି ଝିଅ । ଶ୍ରେଷ୍ଠ ୨୫ ର୍ୟାଙ୍କ୍ରେ ୧୪ ଜଣ ଝିଅ ଥିବା ବେଳେ ୧୧ ଜଣ ପୁଅ ଅଛନ୍ତି । ଶ୍ରେଷ୍ଠ ୨୫ ର୍ୟାଙ୍କଧାରୀଙ୍କ ମଧ୍ୟରୁ ଅଧିକାଂଶ ଆଇଆଇଟି, ଏନଆଇଟି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଗୁଜରାଟ ନ୍ୟାସନାଲ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅଛନ୍ତି । ପୂର୍ବ ଅପେକ୍ଷା ଏବେ ଅଧିକ ସଂଖ୍ୟାରେ ଝିଅ ୟୁପିଏସସି ପରୀକ୍ଷା ହେଉଛନ୍ତି । ହେଲେ ସେମାନଙ୍କ ପାସ୍ ହାର ପୂର୍ବ ଅପେକ୍ଷା କମି କମି ଯାଉଛି । ୟୁପିଏସସ୍ି ପରୀକ୍ଷାରେ ମୋଟ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧୩ ଜଣ ପୁଅ ରହିଥିବା ବେଳେ ୩୨୦ ଜଣ ଝିଅ ଅଛନ୍ତି ।

୨୦୨୨ ୟୁପିଏସ୍ସି ପରୀକ୍ଷା ପାଇଁ ମୋଟ ୧୧ ଲକ୍ଷ ୩୫ ହଜାର ୬୯୭ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୭୩ ହଜାର ୭୩୫ ଜଣ ପ୍ରିଲିମ୍ ପରୀକ୍ଷା ଦେଇଥିଲେ । ମେନ୍ ପରୀକ୍ଷା ପାଇଁ ୧୩ ହଜାର ୯୦ ଜଣ ଉତୀର୍ଣ୍ଣ ହୋଇଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୯୩୩ ଜଣ ସଫଳତା ପାଇଛନ୍ତି ।