ଦିପାବଳୀରେ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର, ବଢିଲା ରବି ଫସଲର ସହାୟକ ମୂଲ୍ୟ

188

କନକ ବ୍ୟୁରୋ : ଗତକାଲି କେନ୍ଦ୍ର ସରକାର ଦେଶର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ମିଳୁଥିବା ସହାୟତା ରାଶି ପ୍ରଦାନ କରିଥିବା ବେଳେ ଆଜି ପୁଣି ଏକ ଉପହାର ଦେଇଛନ୍ତି । ଆଜି କେନ୍ଦ୍ର ସରକାର ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି ।

ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସେ କହିଛନ୍ତି କି କେନ୍ଦ୍ର କ୍ୟାବିନେଟ ପକ୍ଷରୁ ରବି ଋତୁରେ ଉତ୍ପାଦିତ ହେଉଥିବା ଗହମ, ମସୁର, ଜଅ, ଓ ଚଣା ସହ ସମସ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅନୁରାଗ ଠାକୁରଙ୍କ ସୂଚନା ମୁତାବକ ଗହମ କୁଇଣ୍ଟାଲ ପ୍ରତି ପୂର୍ବରୁ ୨୦୧୫ ଟଙ୍କାରେ କିଣା ଯାଉଥିବା ବେଳେ ଏବେ ଏହାର ମୂଲ୍ୟ ୧୧୦ ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥାତ ସରକାର ଚଳିତ ରବି ଋତୁରେ ଚାଷୀମାନଙ୍କ ଠାରୁ ଗହମ କୁଇଣ୍ଟାଲ ପ୍ରତି ୨୧୨୫ ଟଙ୍କାରେ କିଣିବେ । ସେହଭଳି ଜଅ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା, ଚଣା କୁଇଣ୍ଟାଲରେ ୧୦୫ ଟଙ୍କା, ମସୁର ଡାଲି କୁଇଣ୍ଟାଲ ପ୍ରତି ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ସେହିଭଳି ସୁରିଶ କୁଇଣ୍ଟାଲ ଉପରେ ୪୦୦ ଟଙ୍କା ମଧ୍ୟ ବୃଦ୍ଧି କରାଯାଇଛି ।

ସୂଚନା ଥାଉକି କେନ୍ଦ୍ର ଏମଏସପି କମିଟି ରବି ଋତୁରେ ଉତ୍ପାଦିତ ହେଉଥିବା ୬ ଟି ଫସଲ ଉପରେ ୯ ପ୍ରତିଶତ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ସୁପାରିଶ କରିଥିଲେ । ଏବେ ଏହା ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଛନ୍ତି ।