ରୁଷ ରାଷ୍ଟ୍ରପତିଙ୍କ ସହିତ କୌଣସି କଥାବାର୍ତ୍ତା କରିବ ନାହିଁ ୟୁକ୍ରେନ । ରୁଷ ସହ ଆଲୋଚନା ପାଇଁ ଭାରତର ପରାମର୍ଶକୁ ଜେଲେନସ୍କିଙ୍କ ପ୍ରତ୍ୟାଖ୍ୟାନ

197

କନକ ବ୍ୟୁରୋ : ଯୁଦ୍ଧ ବନ୍ଦ କରି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କୁ ଦେଇଥିବା ପ୍ରସ୍ତାବକୁ ଜେଲେନସ୍କି ଖାରଜ କରିଦେଇଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ରୁଷ ରାଷ୍ଟ୍ରପତିଙ୍କ ସହିତ କୌଣସି କଥାବାର୍ତ୍ତା କରିବ ନାହିଁ । ୟୁକ୍ରେନ ରାଷ୍ଟ୍ରପତିଙ୍କ ବୟାନରେ ଆହୁରି ମଧ୍ୟ କୁହାଯାଇଛି ଯେ ୟୁକ୍ରେନର ଅଞ୍ଚଳ ଲୁହାନସ୍କ, ଡୋନେସ୍କ, ଜାପୋରିଝିଆ ଓ ଖେରସନକୁ ରୁଷ ବେଆଇନଭାବେ ନିଜ ସହ ମିଶାଇବାକୁ ଉଦ୍ୟମ କରୁଛି । କିନ୍ତୁ ଏହା ବାସ୍ତବତାକୁ ବଦଳାଇପାରିବ ନାହିଁ ।

ତେବେ ଶାନ୍ତି ଉଦ୍ୟମ ପାଇଁ ମୋଦୀଙ୍କ ଉଦ୍ୟମକୁ ଜେଲେନସ୍କି ପ୍ରସଂଶା କରିଛନ୍ତି । ଗତ ମାସରେ ଉଜବେକିସ୍ତାନରେ ପୁଟିନଙ୍କୁ ମୋଦୀ କହିଥିବା ‘ ଏହା ଯୁଦ୍ଧର ଯୁଗ ନୁହେଁ’କୁ ସେ ସ୍ବାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମଙ୍ଗଳବାର ଦିନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ ଆଲୋଚନା କରିଥିଲେ ଓ ରୁଷ ସହିତ ଚାଲିଥିବା ବିବାଦର କୌଣସି ସାମରିକ ସମାଧାନ ହୋଇପାରିବ ନାହିଁ ବୋଲି କହିଥିଲେ । ଏହି ଆଲୋଚନା ବେଳେ ମୋଦୀ ଗତ ୭ ମାସ ହେଲା ଚାଲିଥିବା ଯୁଦ୍ଧ ଶୀଘ୍ର ବନ୍ଦ କରିବା ଏବଂ ଆଲୋଚନା ଓ କୂଟନୀତିର ମାର୍ଗ ଅନୁସରଣ କରାଯାଉ ବୋଲି କହିଥିଲେ ।

ସେମାନଙ୍କ ଟେଲିଫୋନିକ୍ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ, ଆଣବିକ ପ୍ରତିଷ୍ଠାନ ଉପରେ ବିପଦର ପ୍ରଳୟଙ୍କରୀ ପରିଣାମ ଆସିପାରେ । ରୁଷ ରାଷ୍ଟ୍ରପତି ପୁଟିନଙ୍କ ଆଣବିକ ଧମକ ମଧ୍ୟରେ ଏହି ବୟାନକୁ ଗୁରୁତ୍ବ ଦିଆଯାଉଛି ।