ଟିମ୍ ଇଣ୍ଡିଆର ନୂଆ ସଙ୍କଟମୋଚକ ସୂର୍ଯ୍ୟକୁମାର । ମିଶନ୍ ବିଶ୍ୱକପରେ ସୂର୍ଯ୍ୟ ଧରିବେ ମିଡିଲ୍ ଅର୍ଡର ମଙ୍ଗ

222

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ମିଶନରେ ଏବେ ଟିମ୍ ଇଣ୍ଡିଆ । ପ୍ରଥମେ ଅଷ୍ଟ୍ରେଲିଆ ଆଉ ତାପରେ ସାଉଥ୍ ଆଫ୍ରିକାକୁ ମାତ୍ ଦେବା ପରେ, ଏବେ ମେଲବୋର୍ଣ୍ଣରେ କପ୍ ଜିତିବାକୁ, ଦଳ ରଣନୀତି ପ୍ରସ୍ତୁତ କରୁଛି । ରୋହିତ ଶର୍ମାଙ୍କ କ୍ୟାପଟେନ୍ସିରେ ଟିମ୍ ଇଣ୍ଡିଆ ପ୍ରଥମ କରି, କୌଣସି ଆଇସିସି ଇଭେଣ୍ଟ୍ ଖେଳିବାକୁ ଯାଉଛି । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ଦଳ କପ୍ ଜିତିବା ସହ ଦ୍ୱିତୀୟ ଥର ପାଇଁ ଟି-୨୦ ଚାମ୍ପିୟନ୍ ହେବାକୁ ଲକ୍ଷ୍ୟ ରଖିଛି । ଆଉ ଏହି ମିଶନ୍ ଜିତିବାକୁ ଦଳ ପାଖରେ ଅଛନ୍ତି, ଗୋଟିଏ ପରେ ଗୋଟିଏ ଧୂଆଁଧାର ଖେଳାଳି ।

ଗତ କିଛି ବର୍ଷ ହେଲା ଟିମ୍ ଇଣ୍ଡିଆର ମିଡିଲ୍ ଅର୍ଡରକୁ ଅଧିକ ସୁଦୃଢ କରିଛନ୍ତି ସୂର୍ଯ୍ୟକୁମାର । ୩୨ ବର୍ଷୀୟ ଏହି ଖେଳାଳି, ଟିମ୍ ଇଣ୍ଡିଆକୁ ଲେଟରେ ଆସିଲେ ସତ, ହେଲେ ତାଙ୍କର ପ୍ରଦର୍ଶନ ଏବେ ତାଙ୍କର ପରିଚୟ ସାଜିଛି । କୌଣସି ମ୍ୟାଚ୍ ହେଉ, କୌଣସି ବି ଗ୍ରାଉଣ୍ଡ ହେଉ, ସବୁ ମ୍ୟାଚରେ ସୂର୍ଯ୍ୟ ଚମକିଛନ୍ତି । ଆଉ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିଛି । ତେଣୁ ବିଶ୍ୱକପରେ ସୂର୍ଯ୍ୟକୁମାର ଦଳର ମିଡିଲ ଅର୍ଡର ମଙ୍ଗ ଧରିବେ ବୋଲି ଅନେକ କହିସାରିଲେଣି ।

ବିଶ୍ୱକପ ଦଳରେ ରୋହିତ ଶର୍ମା ଆଉ କେ ଏଲ ରାହୁଲ ଓପନିଂ କରିବା ପକ୍କା । ଏହାପରେ ବିରାଟ କୋହଲି ୩ ନମ୍ବରରେ ବ୍ୟାଟିଂ କରିବେ । ତେବେ ୪ ନମ୍ବରରେ ଦଳର ବ୍ୟାଟିଂ ଭାର ସମ୍ଭାଳିବେ ସୂର୍ଯ୍ୟକୁମାର ଯାଦବ । ସେହିଭଳି ଏହା ପଛକୁ ପଛ ହାର୍ଦ୍ଦିକ ପାଣ୍ଡ୍ୟା ଆଉ ଦିନେଶ କାର୍ତିକ ମଧ୍ୟ ଦଳର ସ୍କୋରକୁ ଆଗକୁ ବଢାଇବାକୁ ପୂରାପୂରି ସକ୍ଷମ ଅଟନ୍ତି । ତେଣୁ ମିଡିଲ ଅର୍ଡରରେ ଦଳ କେମିତି ଭଲ ସ୍କୋର କରିବ, ତାର ପୂରାପୂରି ଭାର ଏବେ ବିରାଟ ଆଉ ସୂର୍ଯ୍ୟକୁମାର ଉପରେ ରହିବ ।

ନଜର ପକାନ୍ତୁ, କିଛି କ୍ରିକେଟର ଗଣିତ ଉପରେ…

ସୂର୍ଯ୍ୟକୁମାର ୨୦୨୨ ମସିହାରେ ୨୩ଟି ମ୍ୟାଚ୍ ଖେଳି ୮୦୧ ରନ୍ କରିଛନ୍ତି । ଯାହାକି ଟି-୨୦ରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଭିତରେ ସବୁଠୁ ଅଧିକ । ସେହିଭଳି ତାଙ୍କର ଷ୍ଟ୍ରାଇକ୍ ରେଟ୍ ବି ୧୮୪ ରହିଛି । ଯାହାକି ଟି-୨୦ କ୍ରିକେଟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ବର୍ଷ ୨୦୨୨ରେ ସୂର୍ଯ୍ୟକୁମାର ଗୋଟିଏ ଶତକ ମାରିଥିବାବେଳେ, ୬ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି । ତାଙ୍କ ପଛକୁ କ୍ୟାପଟେନ୍ ରୋହିତ ଶର୍ମା ୨୩ଟି ମ୍ୟାଚ୍ ଖେଳି ୫୪୦ ରନ୍ କରିଛନ୍ତି ।

ସୂର୍ଯ୍ୟକୁମାର ଯାଦବଙ୍କ ସର୍ଟ ଯେମିତି, ତାଙ୍କ ଷ୍ଟ୍ରାଇକ୍ ରେଟ୍ ବି ସେମିତି । ଚଳିତ ବର୍ଷ ସେ ୫୧ଟି ଛକା ମାରି ସାରିଥିବାବେଳେ, ବିରୋଧୀ ଟିମକୁ ବଡ ଟେନସନ୍ ଦେଇଛନ୍ତି । ବଡ ବଡ ମ୍ୟାଚରେ ସୂର୍ଯ୍ୟକୁମାର ଭଲ ଇଂନିସ୍ ଖେଳିବା ସହିତ ଦଳକୁ ବିପଦରୁ ବଞ୍ଚାଇଛନ୍ତି । ତେଣୁ ଆଗାମୀ ବିଶ୍ୱକପରେ ଯଦି ସୂର୍ଯ୍ୟଙ୍କ ବ୍ୟାଟ୍ ଚାଲେ ତେବେ ଦଳ ନିଶ୍ଚୟ ବଡ ସ୍କୋର କରିବାରୁ ପଛରେ ପଡିବନି ।

ଟିମ୍ ଇଣ୍ଡିଆର ବିଶ୍ୱକପ୍ ସ୍କ୍ୱାର୍ଡରେ ରୋହିତ ଶର୍ମା ଅଧିନାୟକ ରହିଥିବାବେଳେ କେଏଲ ରାହୁଲ ଉପ-ଅଧିନାୟକ ରହିଛନ୍ତି । ସେହିପରି ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା ମିଡିଲ ଅର୍ଡର ସମ୍ଭାଳିବେ । ତାଙ୍କ ସହିତ ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା ଆଉ ରିଷଭ ପନ୍ତ ଦଳ ପାଇଁ ବଡ ସ୍କୋର କରିବାରେ ପୂରାପୂରି ଧୁରନ୍ଦର । ଅନ୍ୟପଟେ ସ୍ପିନ୍ ବୋଲିଂରେ ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ ବିଶ୍ୱକପ୍ ଦଳରେ ସ୍ଥାନ ପାଇଛନ୍ତି । ତାଙ୍କ ସହିତ ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଅର୍ଶଦୀପ ସିଂହ ଫାଷ୍ଟ ବୋଲିଂ ଆଟାକ୍ ସମ୍ଭାଳିବେ । ତେବେ ବୁମରାଙ୍କ ସ୍ଥାନର ବିଶ୍ୱକପରେ କିଏ ନେବ ତାହା ଏପର୍ଯ୍ୟନ୍ତ ପକ୍କା ହୋଇନି ।