ଭାରତୀୟ ଛାତ୍ରଙ୍କୁ ଟ୍ରେନରେ ଚଢାଇ ଦେଉନାହିଁ ୟୁକ୍ରେନ ସେନା, ଖାରକିବ ଷ୍ଟେସନରେ ଅଟକି ରହିଛନ୍ତି ଭାରତୀୟ ଛାତ୍ର

328

କନକ ବ୍ୟୁରୋ : ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ୟୁକ୍ରେନରେ ଫଶି ରହିଛନ୍ତି ହଜାର ହଜାର ଭାରତୀୟ ନାଗରିକ । ଏହାସହ ମଙ୍ଗଳବାର ଦିନ ପୂର୍ବ ୟୁକ୍ରେନର ଖାରକିବ ସହରରେ ସେନା ଗୁଳିରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ବି ହୋଇଛି । କର୍ଣ୍ଣାଟକର ୨୧ ବର୍ଷିୟ ନବୀନ ଶେଖରପ୍ପା ଖାଦ୍ୟ ଆଣିବାକୁ ଯାଇଥିବା ବେଳେ ଋଷ ସୈନିକଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ।

ସେପଟେ ଏଭଳି ଯୁଦ୍ଧରୁ ନିଜ ଜୀବନ ବଞ୍ଚାଇ ୟୁକ୍ରେନ ଛାଡି ପଳାଇ ଆସିବାକୁ ଚାହୁଁଥିବା ଭାରତୀୟଙ୍କ ପାଇଁ ଶତ୍ରୁ ସାଜିଛି ୟୁକ୍ରେନ ସେନା । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ହଜାର ହଜାର ଭାରତୀୟ ଖାରକିବ ରେଳ ଷ୍ଟେସନରୁ ଟ୍ରେନ ଚଢି ହଙ୍ଗେରୀ ଓ ପଡୋଶୀ ଦେଶକୁ ପଳାଇଯିବାକୁ ଚାହୁଁଥିବା ବେଳେ ୟୁକ୍ରେନ ପୋଲିସ ସେମାନଙ୍କୁ ବାଧା ଦେଉଛି । ପୋଲିସ ଭାରତୀୟଙ୍କୁ ଅଟକାଇ ସେମାନଙ୍କ ନାଗରିକଙ୍କୁ ଟ୍ରେନରେ ଚଢିବାରେ ସହାୟକ ହେଉଛି ।

କହିରଖୁ କି ୟୁକ୍ରେନର ବିଭିନ୍ନ ସହରରେ ଥିବା ଭାରତୀୟମାନେ କୌଣସି ପ୍ରକାରରେ ଖାରକିବ ରେଳ ଷ୍ଟେସନ ନିକଟରେ ପହଂଚି ରେଳ ମାଧ୍ୟମରେ ଅନ୍ୟ ଦେଶକୁ ଚାଲିବାକୁ ଭିଡ ଜମାଇଛନ୍ତି । ସେପଟେ ୟୁକ୍ରେନର ସମସ୍ତ ବିମାନ ବନ୍ଦର ବନ୍ଦ ଥିବାରୁ ଭାରତ ସରକାର ନିଜ ନାଗରିକମାନଙ୍କୁ ପଡୋଶୀ ଦେଶ ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ଆଦି ଦେଶର ସୀମାରୁ ଏୟାର ଲିଫ୍ଟ କରିବାକୁ ଯୋଜନା କରିଛନ୍ତି । ଅପରେଶନ ‘ଗଙ୍ଗା’ ଅଭିଯାନ କ୍ରମରେ ଭାରତ ସରକାର ୟୁକ୍ରେନରୁ ଏପର୍ୟ୍ୟନ୍ତ ୧୩୯୬ ଜଣ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିଛନ୍ତି ।