ବ୍ୟାଗରେ ୨୫ ହଜାର ଟଙ୍କାର ଖୁଚୁରା ପଇସା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଂଚିଲେ ପ୍ରାର୍ଥୀ । ନାମାଙ୍କନ ଭରିବାକୁ ମାଗିଲେ ଫର୍ମ

184

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଭିତରେ ଉତ୍ତର ପ୍ରଦେଶ ବାରଣାସୀରୁ ଅଜବ ଗଜବ ଖବର ସାମ୍ନାକୁ ଆସୁଛି । କିଏ ଜୀବିତ ରହିଛି ବୋଲି ପ୍ରମାଣ କରିବାକୁ ନିର୍ବାଚନ ଲଢୁଛି ତ କିଏ ଅନ୍ୟ ପାର୍ଟିକୁ ହରାଇବାକୁ ନିର୍ବାଚନ ଲଢୁଛି । ଏସବୁ ମଧ୍ୟରେ ଏକ ରୋଚକ ଚିତ୍ର ସାମ୍ନାକୁ ଆସିଛି । ଶୁକ୍ରବାର ଦିନ ବାରଣାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜଣେ ବ୍ୟକ୍ତି ୨୫ ହଜାର ଟଙ୍କାର ଖୁଚୁରା ପଇସା ନେଇ ହଠାତ ପ୍ରବେଶ କରିଥିଲେ । ବ୍ୟକ୍ତି ଜଣଙ୍କ ହେଉଛନ୍ତି ବୈଧ୍ୟରାମ ଗୁପ୍ତା । ସେ ସ୍ୱାଧୀନ ଭାବେ ନାମାଙ୍କନ ଭରିବାକୁ ଏତେଗୁଡିଏ ଖୁଚୁରା ପଇସା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଗଣମାଧ୍ୟମ ସାମ୍ନାରେ ବୈଧ୍ୟରାମ ବ୍ୟାଗ ଖୋଲି ୨୫ ହଜାର ଟଙ୍କାର ଖୁଚୁରା ପଇସା ଲୋକଙ୍କ ଆଗରେ ରଖିଥିଲେ । ସେ ଏକା ନଥିଲେ, ତାଙ୍କ ସହ ତାଙ୍କ ଓକିଲ ମଧ୍ୟ ଥିଲେ । କୁହାଯାଉଛି କି, ଏହା ପୂର୍ବରୁ ବୈଧ୍ୟରାମ ଏହି ଖୁଚୁରା ପଇସାକୁ ନେଇ ବିକାଶ ଭବନ ସ୍ଥିତ ନିର୍ବାଚନ କାର୍ଯ୍ୟାଳୟ ଯାଇଥିଲେ । ଏହି ଖୁଚୁରା ପଇସା ଭର୍ତ୍ତି ବ୍ୟାଗକୁ ସେ ଅଫିସରଙ୍କ ସାମ୍ନାରେ ରଖିଲେ । ଏହାକୁ ନେଇ ଅନେକ ଦିନ ଚର୍ଚ୍ଚା ଲାଗି ରହିଥିଲା ।

ବୈଧ୍ୟରାମ କହିଛନ୍ତି କି, ସେ କାହା ବିରୋଧରେ ନିର୍ବାଚନ ଲଢିବାକୁ ଯାଉନାହାଁନ୍ତି ବରଂ ଲୋକତନ୍ତ୍ରର ଅଧିକାର କ୍ରମରେ ସେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ନାମାଙ୍କନ ପତ୍ର ପାଇଁ ସେ ପୁରା ୨୫ ହଜାର ଟଙ୍କା ଆଣିଛନ୍ତି । ଏବେ ଏହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ଏହି ଖୁଚୁରା ପଇସା ମଧ୍ୟରେ ସର୍ବାଧିକ ୧,୨,୫ ଓ ୧୦ ଟଙ୍କିଆ ମୁଦ୍ରା ରହିଛି ।

ବାରଣାସୀ ଲୋକସଭା ପାଇଁ ଆଜି ଅନେକ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ଅଜୟ ରାୟ । ବାରଣାସୀ ଲୋକସଭା ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ହେଉଛି ଚଳିତ ମାସ ୧୪ ତାରିଖ । ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମାଙ୍କନ ଭରିବେ ।