ସପା ନେତା ସ୍ୱାମୀ ପ୍ରସାଦଙ୍କ ଆକ୍ରମଣ ପରେ ବିଜେପି ଭିତରେ ଫାଟ, ଝିଅ କହିଲେ ଏଭଳି କଥା

271

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଧାନସଭା ପାଇଁ ଚାଲିଥିବା ମତଦାନର ୬ ପର୍ଯ୍ୟାୟ ୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପରେ ଆଉମାତ୍ର ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିବ । ହେଲେ ନିର୍ବାଚନର ଶେଷ ଆଡକୁ ପ୍ରଚାର ବେଳେ ଅଧିକ ହିଂସା ଦେଖିବାକୁ ମିଳିଛି । ଏହି କ୍ରମରେ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ରାଲି ବେଳେ ତାଙ୍କ ଗାଡି ଉପରକୁ କିଛି ଅସାମାଜିକ ଲୋକ ଆକ୍ରମଣ କରିବା ପରେ ବିଜେପି ଭିତରେ ଫାଟ ସୃଷ୍ଟି ହୋଇଛି । ଗୋଟିଏ ପଟେ ସ୍ୱାମୀ ପ୍ରସାଦ ସମାଜବାଦୀ ପାର୍ଟିରେ ଥିବା ବେଳେ ତାଙ୍କ ସାଂସଦ ଝିଅ ସଂଘମିତ୍ର ମୌର୍ଯ୍ୟ ଏବେ ବିଜେପି ପାଇଁ ପ୍ରଚାର କରୁଛନ୍ତି । ଦଳ ଅଲଗା ହେଲେ ବି ବାପାଙ୍କ ଗାଡି ଉପରେ ଆକ୍ରମଣକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ସଂଘମିତ୍ରା । ସେ କହିଛନ୍ତି କି ଏଭଳି କାର୍ଯ୍ୟପାଇଁ ୟୁପିବାସୀ ବିଜେପିକୁ ଜବାବ ଦେବେ । ସଂଘମିତ୍ରାଙ୍କର ଏଭଳି ବୟାନ ପରେ ବିଜେପି ଭିତରେ ଝଡ ସୃଷ୍ଟି ହୋଇଛି ।

ସୂଚନା ମୁତାବକ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସପା ଟିକେଟରୁ ଫାଜିଲନଗର ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ପ୍ରଚାର କରୁଥିବା ବେଳେ ହଠାତ କିଛି ଲୋକ ତାଙ୍କ ରାଲି ଓ ଗାଡି ଉପରକୁ ଆକ୍ରମଣ କରିଥିଲେ । ଏଥିରେ ଉଭୟ ସପା ବିଜେପି କର୍ମୀଙ୍କ ମଧ୍ୟରେ ହିିଂସା ଦେଖିବାକୁ ମଳିଥିଲା ଓ କିଛି ଲୋକ ଆହତ ହୋଇଥିବାର ବି ସୂଚନା ରହିଛି ।

ବାପାଙ୍କ ଉପରେ ଆକ୍ରମଣର ଖବର ପାଇବା ପରେ ବିଜେପି ସାଂସଦ ତଥା ସ୍ୱାମୀ ପ୍ରସାଦଙ୍କ କନ୍ୟା ସଂଘମିତ୍ରା ଏହି ଆକ୍ରମଣ ପାଇଁ ବିଜେପିକୁ ଦାୟୀ କରିଛନ୍ତି । ସେ କହିଛନ୍ତି କି ମୁଁ ବିଜେପିରେ ରହିଛି ଓ ରହିବି ମଧ୍ୟ । ହେଲେ ଜଣେ ଝିଅ ହିସାବରେ ଏହି ଆକ୍ରମଣକୁ କଡା ନିନ୍ଦା କରୁଛି । ମାର୍ଚ୍ଚ ୩ ତାରିଖରେ ଉକ୍ତ ବିଧାନସଭାର ଭୋଟରମାନେ ବିଜେପିକୁ ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି ।