ଅନ୍ତରୀଣ ଜାମିନ ଭିତରେ କେଜ୍ରିୱାଲଙ୍କ ପାଇଁ କୋର୍ଟ ରଖିଲେ ଏଭଳି ସର୍ତ୍ତ । ଜାଣନ୍ତୁ କେଉଁ ସର୍ତ୍ତ ଆଧାରରେ କୋର୍ଟ ଦେଇଛନ୍ତି କେଜ୍ରିୱାଲଙ୍କୁ ଜାମିନ

235

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ କିଛି କଡା ସର୍ତ୍ତ ରଖିଛନ୍ତି । ଜାମିନ ପ୍ରଦାନ ବେଳେ କୋର୍ଟ କହିଛନ୍ତି କି, କେଜ୍ରିୱାଲ ଜାମିନ ଅବଧୀ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଦିଲ୍ଲୀ ସଚିବାଳୟ ଯାଇପାରିବେ ନାହିଁ । ଏହାସହ ଦିଲ୍ଲୀ ଉପ ରାଜ୍ୟପାଳଙ୍କ ବିନା ଅନୁମତିରେ ସେ କୌଣସି ଫାଇଲରେ ଦସ୍ତଖତ କରିପାରିବେ ନାହିଁ । ସୁପ୍ରିମକୋର୍ଟ ୫୦ ହଜାର ଟଙ୍କା ବନ୍ଧକ ରଖି କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

କେବଳ ସେତିକି ନୁହେଁ ଜାମିନ ବେଳେ କୋର୍ଟ ସର୍ତ୍ତ ରଖିଛନ୍ତି କି, କେଜ୍ରିୱାଲ ବାହାରକୁ ବାହାରିବା ପରେ ଦିଲ୍ଲୀ ଅବକାରୀ ନୀତି ନେଇ ତାଙ୍କର ଭୂମିକା ବାବଦରେ ବୟାନ ଦେଇପାରିବେ ନାହିଁ । ଏହାସହ କୌଣସି ସାକ୍ଷୀଙ୍କ ସହ କଥା ହୋଇପାରିବେ ନାହିଁ କେଜ୍ରିୱାଲ । କୋର୍ଟ କହିଛନ୍ତି କି, ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବାର ସମୟ ଠିକ୍ ନଥିଲା । ତାଙ୍କୁ ମାର୍ଚ୍ଚ ପୂର୍ବରୁ କିମ୍ବା ନିର୍ବାଚନ ପରେ ଗିରଫ କରାଯାଇପାରିଥାନ୍ତା ।