କମନୱେଲଥ ଗେମ୍ସର  ଭାରଉତ୍ତୋଳନରେ ୨ଥର ସ୍ୱର୍ଣ୍ଣ ଜିତିଥିବା ସଂଜୀତା ଚାନୁ ଡୋପଟେଷ୍ଟରେ ଫେଲ, ଲାଗିପାରେ ୪ ବର୍ଷ ପାଇଁ ବ୍ୟାନ

112

କନକ ବ୍ୟୁରୋ : କମନୱେଲଥ ଗେମ୍ସରେ ୨ଥର ସ୍ୱର୍ଣ୍ଣ ପଦକ ବିଜେତା ଭାରଉତ୍ତୋଳନକାରୀ ସଂଜୀତା ଚାନୁ ପୁଣିଥରେ ଡୋପ ଟେଷ୍ଟରେ ଫେଲ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ତରଫରୁ ଗୁଜୁରାଟ ନ୍ୟାସନାଲ ଗେମ୍ସ ଠାରୁ ସଂଜୀତାଙ୍କର ସାମ୍ପଲ ନେଇଥିଲା । ଏହି ସାମ୍ପଲ ଟେଷ୍ଟ ବେଳେ ଏଥିରୁ ଷ୍ଟେରଏଡ ଡ୍ରାଷ୍ଟେନୋଲାନ ମିଳିଥିବା ଜଣାପଡିଛି । ଏହା ପରେ ସଂଜୀତାଙ୍କ ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧକ ଲଗାଯାଇଛି । ଏବେ ଯଦି ସଂଜୀତା ନ୍ୟାସାନଲ ଆଣ୍ଟି ଡୋପିଂ ଏଜେନ୍ସି ନିକଟରେ ନିଜକୁ ନିର୍ଦ୍ଦୋଶ ବୋଲି ପ୍ରମାଣ କରିନପାରନ୍ତି ତେବେ ତାଙ୍କ ଉପରେ ୪ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇପାରେ ।

୨୦୧୪ ରେ ଗ୍ଲାସଗୋ ଓ ୨୦୧୮ ମସିହାରେ ଗୋଲ୍ଡକୋଷ୍ଟ କମନୱେଲ୍ଥ ଗେମସରେ ସ୍ୱର୍ଣ୍ଣ ପଦକ ଜିତିଥିବା ସଂଜୀତା ୨୦୨୨ ସେପ୍ଟେର ୩୦ ତାରିଖରେ ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଗେମ୍ସରେ ୪୯ କିଲୋ ବର୍ଗ ଭାରତ୍ତୋଳନରେ ଭାଗ ନେଇଥିଲେ । ଏଥିରେ ମୀରାବାଇ ଚାନୁ ୧୯୧ କିଲୋ ବର୍ଗରେ ଭାଗ ନେଇ ସ୍ୱର୍ଣ୍ଣପଦକ ଜିତିଥିଲେ । ଏଥିରେ ସଂଜୀତା ୧୮୭ କିଲୋ ଓଜନ ସହିତ କାଂସ୍ୟ ପଦକ ଜିତିଥିଲେ । ଏହି କ୍ରମରେ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ସଂଜୀତାଙ୍କ ସାମ୍ପଲ ନେଇଥିଲେ ।

ସୂଚନା ଥାଉକି ସଂଜୀତା ଚାନୁଙ୍କ ଉପରେ ଏହାପୂର୍ବରୁ ୨୦୧୮ ମସିହାରେ ଡୋପିଂ ଟେଷ୍ଟ ଅଭିଯୋଗ ଆସିଥିଲା । ହେଲେ ଇଣ୍ଟରନ୍ୟାସନାଲ ୱେଟଲିଫ୍ଟିଂ ଫେଡରେସନ ନିଜର ଭୁଲ ସ୍ୱୀକାର କରି ସଂଜୀତାଙ୍କୁ ନିର୍ଦ୍ଦୋଶ ବୋଲି କହିଥିଲେ । ଫଳରେ ସଂଗୀତା ତାଙ୍କ କ୍ୟାରିଅରର ୨ ବର୍ଷ ନଷ୍ଟ କରିଥିଲେ ।