ଅଘୋଷିତ ବିଦ୍ୟୁତ କାଟକୁ ନେଇ ମନ୍ତ୍ରୀଙ୍କ ଅଜବ ଯୁକ୍ତି : କହିଲେ, କେଉଁଠି ହେଉନି ପାୱାର କଟ୍; ପବନ ବହିଲେ ବିଜୁଳି କାଟିବାକୁ ବାଧ୍ୟ

395

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରୁ ଅଘୋଷିତ ବିଜୁଳି କାଟ ଖବର ଆସୁଛି । ରାଜଧାନୀ ଭୁବନେଶ୍ୱରରେ ବି ଘଣ୍ଟା ଘଣ୍ଟା ବିଜୁଳି କଟୁଛି । କିନ୍ତୁ ଆଜି ପାୱାରକଟକୁ ନେଇ ଅଜବ ଯୁକ୍ତି, ରଖିଛନ୍ତି ଶକ୍ତି ମନ୍ତ୍ର ପ୍ରତାପ ଦେବ । କହିଛନ୍ତି, ପାୱାରକଟ୍ କେଉଁଠି ହେଉନି । ବାରମ୍ବାର ଗଣମାଧ୍ୟମକୁ କହିଛି, ପାୱାରକଟ୍ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ପବନ ବହିଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ ।

କାଳବୈଶାଖୀ ଯେଉଁଭଳି ହେଉଛି, ଖୁଣ୍ଟ ଉପୁଡୁଛି । ଆଖି ପିଛୁଳାକେ ଏ କାମ ହୋଇଯିବନି । ଉପଭୋକ୍ତାମାନେ ଯେତେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ସେ ହାରରେ ଭିତ୍ତିଭୂମି ନାହିଁ । ଲୋଡ୍ କାପାସିଟି ସମ୍ଭାଳିବା ବଡ ଚ୍ୟାଲେଞ୍ଜ । ପାୱାର ସର୍ଟେଜ୍ ଅଛି ଏକଥା କହିବା ଭୁଲ୍ । ଭିତିଭୂମିର ତ୍ରୁଟି ରହିଛି । ରାଜ୍ୟ ସରକାରଙ୍କ କାମ ହେଉଛି କମ୍ପାନୀଗୁଡିକୁ ତାଗିଦ୍ କରି କାମ କରିବା ।

ସେପଟେ, ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଜରୁରୀ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ । ଆସନ୍ତା ସୋମବାର ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ବୈଠକରେ ରାଜ୍ୟର ୪ ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା ସୂଚନା ମିଳିଛି ।

ରାଜ୍ୟରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବାରୁ ଏହାର କିପରି ସମାଧାନ କରାଯିବ ସେନେଇ ବୈଠକରେ ସମୀକ୍ଷା କରାଯିବ । ରାଜ୍ୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ନେଇ ଅଭିଯୋଗ ଆସୁଛି । ଗୁରୁବାର କାଳବୈଶାଖୀ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ କାଟ ହୋଇଥିଲା । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ମୁଖ୍ୟ ଶାସନ ସଚିବ । ଯଦି କାଳବୈଶାଖୀରେ ଏମିତି, ତେବେ ବାତ୍ୟା ହେଲେ କ’ଣ ଅବସ୍ଥା ହେବ ବୋଲି ସେ ପ୍ରଶ୍ନ କରିଥିଲେ ।