ମାତ୍ର କିଛି ସେକେଣ୍ଡ । ଧ୍ୱଂସ ହେବ ୮୦୦ କୋଟିର ବିଲ୍ଡିଙ୍ଗ

933

କନକ ବ୍ୟୁରୋ: ଗୋଟେ ପରେ ଗୋଟେ ବିସ୍ଫୋରଣ ହେବ, କିଛି ମାତ୍ର ସେକଣ୍ଡରେ ଧ୍ୱଂସ ହେବ ରାଜଧାନୀ ଛାତି ଉପରେ ଛିଡା ହୋଇଥିବା ଟ୍ୱିନ୍ ଟାୱାର । ବାରମ୍ବାର ତାରିଖ ବଦଳିବା ପରେ ସୁପ୍ରିମକୋର୍ଟଙ୍କ କଡା ନିଦେର୍ଦଶ କ୍ରମେ ସେ ଦିନ ଆସିଛି, ଯେବେ ମାଟିରେ ମିଶିବ ଦିଲ୍ଲୀର ବହୁ ଚର୍ଚ୍ଚିତ ଟ୍ୱିନ୍ ଟାୱାର । ଏଥିପାଇଁ ସ୍ଥାନୀୟ ପ୍ରଶାସନ କରି ସାରିଛି ସବୁ ପ୍ରକାର ପ୍ରସ୍ତୁତି । ପୂର୍ବରୁ ସରିଛି ଧ୍ୱସଲୀଳାର ମକ୍ ଡ୍ରିଲ୍ ।

ମାତ୍ର ୧୨ ସେକେଣ୍ଡରେ ବହୁଦୂରରୁ ଦେଖାଯାଉଥିବା ଟ୍ୱିନ ଟାୱାର ମାଟିରେ ମିଶିଯିବ । ଅଗଷ୍ଟ ୨୮ ତାରିଖରେ ସବୁ କିଛି ସରିଯିବ । ନୋଏଡା ସେକ୍ଟର ୯୩ରେ ଥିବା ଦୁଇ ଦୁଇଟି ଟାୱାର ଦେଖୁଦେଖୁ ଧୂଳିସାତ୍ ହେବ । ଏଥିପାଇଁ ସରିଛି ସବୁ ପ୍ରସ୍ତୁତି । ୮୦୦ କୋଟି ମୂଲ୍ୟରେ ନିର୍ମିତ ଏହି ଅଟ୍ଟାଳିକାକୁ ଧ୍ୱଂସ କରିବାକୁ ଖର୍ଚ୍ଚ ହେଉଛି ୨୦ କୋଟିରୁ ଅଧିକ ଟଙ୍କା । ଏଥିପାଇଁ କୋଠାରେ ଖଞ୍ଜା ହୋଇଛି ସାଢେ ୩ ହଜାର ବିସ୍ଫୋରକ । ଏଥିପାଇଁ ମୁଣ୍ଡ ଖଟାଇଛନ୍ତି ଦେଶର ବିଛାବଛା ଇଞ୍ଜିନିୟର । କୋଠାକୁ କିପରି ଧ୍ୱଂସ କରିଯିବ ସେଥିପାଇଁ ହୋଇସାରିଛି ମକ୍ ଡ୍ରିଲ୍ । ଦୁଇ ଦିନ ପୂର୍ବରୁ ସିଲ ହୋଇସାରିଛି ପାଖାପାଖି ୧ କିଲୋମିଟର ଅଞ୍ଚଳ । ଚଳଚଞ୍ଚଳ ନୋଏଡା ଏକ୍ସପ୍ରେସ ୱେକୁ ମଧ୍ୟ ସିଲ କରାଯାଇଛି । ୩୦ ମିନିଟ ପାଇଁ ନୋଏଡାର ସବୁକିଛି ଠପ୍ ହୋଇଯିବ । ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି ଶହଶହ ସୁରକ୍ଷା କର୍ମୀ । ଅଘଟଣକୁ ଏଡାଇବାକୁ ମୁତୟନ ଅଛନ୍ତି ଏକାଧିକ ଏମରଜେନ୍ସି ଟିମ୍ ।

ଯିଏ ଗଢିଥିଲା, ସିଏ ଭାଙ୍ଗିବ ବହୁ ଚର୍ଚ୍ଚିତ ଟ୍ୱିନ୍ ଟାୱାର । କହିବାର ଅର୍ଥ ଯେଉଁ ନିର୍ମାଣ ସଂସ୍ଥା ଏତେବଡ ଅଟ୍ଟାଳିକା ଗଢିଥିଲା ସେହି ସଂସ୍ଥା ହିଁ ଏହାକୁ ଧୂଳିସାତ୍ କରିବ । ଏହା ପଛରେ ରହିଛି ଭ୍ରଷ୍ଟାଚାରର ଏକ କାହାଣୀ । ୨୦୦୪ ନଭେମ୍ବରରେ ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଅଥରିଟି ଏକ ହାଉସିଙ୍ଗ ସୋସାଇଟିର ନିର୍ମାଣ କରିବାକୁ ନୋଇଡା ସେକ୍ଟର ୯୩-ଏରେ ସୁପରଟେକକୁ ଜମି ଆବଣ୍ଟନ କରିଥିଲେ । ୨୦୧୪ ଭିତରେ ସେଠାରେ ୧୪ଟି ଟାୱାର୍ସ ନିର୍ମାଣ କରାଯାଇଥିଲା ସତ ହେଲେ ଏହାପରେ ଆସିଥିଲା ଟ୍ୱିଷ୍ଟ । କାମକୁ ହାତକୁ ନେଇଥିବା ସୁପରଟେକ୍ କମ୍ପାନୀ ସବୁ ନିୟମକୁ ଉଲଂଘନ କରିଥିଲା । ନା ଥିଲା କୋଠ ଗୁଡିକ ମଧ୍ୟରେ ଉଚିତ ଦୂରତା ନା ଥିଲା ଧାର୍ଯ୍ୟ ହୋଇଥିବା ଉଚ୍ଚତା । ଯାହାକୁ ନେଇ ଉଠିଥିଲା ବିବାଦ । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଏହାକୁ ଭାଙ୍ଗିବାକୁ କୋର୍ଟ ଦେଲେ ନିର୍ଦ୍ଦେଶ । ହେଲେ ଏହାସହ ଏଠାରେ ଘର କିଣିବାକୁ ଟଙ୍କା ପୈଠକ କରିଥିବା ଲୋକଙ୍କୁ ଅଶ୍ୱସ୍ତ କଲେ କୋର୍ଟ । ସୁପରଟେକ୍ କମ୍ପାନୀ ଗ୍ରାହକଙ୍କୁ ୧୨ ପ୍ରତିଶତ ସୁଧ ସହ ମୂଳ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଲେ । ବିଲ୍ଡିଙ୍ଗ ଭାଙ୍ଗିବାର ସବୁ ଖର୍ଚ୍ଚ ଖୋଦ୍ ସୁପରଟେକ୍ କ୍ମପାନୀ କରିବା ବୋଲି ମଧ୍ୟ ନିର୍ଦ୍ଦେଶ ଦେଲେ ।

ଟ୍ୱିନ ଟାୱାର ଧ୍ୱଂସ ଲୀଳା ଦେଖିବା ଉପରେ ଲାଗିଛି କଟକଣା । ଆଖପାଖର ୬ଟି ସୋସାଇଟି ପାଇଁ ଜାରି ହୋଇଛି ଗାଇଡ୍ ଲାଇନ୍ । ନା କେହି ଏହାର ଭିଡିଓ ସୁଟ କରିପାରିବେ ନା କେହି ବାଲକୋନିରେ ଛିଡା ହୋଇ ଏହି ଦୃଶ୍ୟକୁ ଦେଖିପାରିବେ । ଯଦି ଏପରି କଲେ ସେମାନଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।

କେବଳ ଏତିକି ନୁହେଁ ବିଲ୍ଡିଙ୍ଗ ଭାଙ୍ଗିବା ପରର ପରିଣତି ଭାବି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପଶିଛି ଛନକା । କାରଣ ବିଶେଷଜ୍ଞଙ୍କ କହିବା ମୁତାବକ, ବିଲଡିଙ୍ଗ ଭାଙ୍ଗିବା ପରେ ଯେଉଁ ପ୍ରଦୂଷଣ ସୃଷ୍ଟି ହେବ, ତାହା ଲୋକଙ୍କ ଠାରେ ବିଭିନ୍ନ ରୋଗ ସୃଷ୍ଟି କରିବ । ଆସଥମା ଓ ଗର୍ଭବତୀ ମହିଳା ଏଥିରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଥିବା କୁହାଯାଉଥିବାବେଳେ ନୋଏଡା ପ୍ରଶାସନ କିନ୍ତୁ ଏହାକୁ ଏଡାଇ ଦେଇଛି ।