ରାସ୍ତା ଓ ପାଣି ନାହିଁ ତ ଭୋଟ ନାହିଁ: କଣ୍ଟାବାଞ୍ଜି, କନ୍ଧମାଳର କିଛି ପଞ୍ଚାୟତରେ ଭୋଟ ଦେଲେ ନାହିଁ ଲୋକ

73

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଭିତରେ କିଛି ଅଂଚଳରୁ ଭୋଟ୍ ବର୍ଜନ ଖବର ବି ସାମ୍ନାକୁ ଆସିଛି । କେଉଁଠି ପ୍ରତିଶ୍ରୁତି ଦେଇ ପ୍ରଶାସନିକ ଅଧିକାରୀ ପାଳନ କରିନାହାନ୍ତି ତ ପୁଣି କେଉଁଠି ଗାଁରେ ପାଣି ନାହିଁ, ରାସ୍ତା ନାହିଁ । ଏପରିକି ନେଟୱର୍କ ନଥିବା ଅଭିଯୋଗ କରି ଭୋଟ୍ କେନ୍ଦ୍ରକୁ ମତଦାନ ପାଇଁ ଯାଇନାହାନ୍ତି ଭୋଟର ।

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । କିନ୍ତୁ କେତେକ ସ୍ଥାନରେ ଭୋଟବର୍ଜନ କରିଛନ୍ତି ଭୋଟର । ଇଏ ହେଉଛି ରାଜ୍ୟର ଦୁଇଟି ସ୍ଥାନର ଚିତ୍ର । କଂଟାବାଂଜି ନିର୍ବାଚନମଣ୍ଡଳୀର ଗୁଡିଘାଟ ପଂଚାୟତର ବାରବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୨୨ ନମ୍ବର ବୁଥରେ ଭୋଟ ବର୍ଜନ କରିଛନ୍ତି ଗାଁ ଲୋକେ । ଗାଁରେ ନେଟୱର୍କ ଆସୁନଥିବାକୁ ନୋ ନେଟୱର୍କ ନୋ ଭୋଟ ବୋଲି କହି ଭୋଟ ଦେଇନାହାନ୍ତି ଲୋକେ । ପ୍ରାୟ ୫ଟି ଗାଁର ଭୋଟର ଭୋଟ ବର୍ଜନ କରିଛନ୍ତି । ପ୍ରଶାସନିକ ଅଧିକାରୀ ବୁଝାଇବା ସତ୍ୱେ ଭୋଟର ବୁଝିନାହାନ୍ତି । .. ରାସ୍ତା ନାହିଁ ତ ଭୋଟ ନାହିଁ । ଗାଁକୁ ରାସ୍ତା, ପିଲାଙ୍କ ପାଇଁ ଶିକ୍ଷା ଓ ପିଇବା ପାଣି ଦାବିରେ ଭୋଟ ବର୍ଜନ କଲେ ଗାଁ ଲୋକେ । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋଟର ମତଦାନରୁ ବିରତ ରହିଛନ୍ତି । ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଂଚାୟତ ପାଣ୍ଡୁପଦର ବୁଥ୍ର ୧୧ଟି ଗାଁର ୪୭୫ ଭୋଟର ଭୋଟ୍ ବର୍ଜନ କରିଛନ୍ତି । ବିଡିଓ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ । ସେହିପରି ଖଜୁରିପଡା ବ୍ଲକ ଅନ୍ତର୍ଗତ ସୁଡ୍ରେଜୁ ବୁଥ୍କୁ ମଧ୍ୟ ଆସିନାହାନ୍ତି ଭୋଟର ।

ସୁନ୍ଦରଗଡ଼ରେ ବିସ୍ଥାପିତଙ୍କ ଭୋଟ୍ ବର୍ଜନ, ପୂର୍ବ ନିଷ୍ପତି ଅନୁଯାୟୀ ଭୋଟ୍ ବର୍ଜନ କରିଛନ୍ତି ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ କୋଇଲା ଖଣି ବିସ୍ଥାପିତ ଗାଁର ଭୋଟର । ପ୍ରାୟ ୧୪ ଖଣ୍ଡ ଗାଁରୁ ୭ଟି ଗାଁର ଭୋଟର ଭୋଟଦାନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଛନ୍ତି । ଅନେକ ମତଦାନ କେନ୍ଦ୍ରରେ ନିର୍ବାଚନ ଅଧିକାରୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ଜଣେ ମଧ୍ୟ ଭୋଟର ମତଦାନ କରିନାହାଁନ୍ତି । ୩୦ ବର୍ଷର ସଂଘର୍ଷ ସତ୍ୱେ ବି ପ୍ରଶାସନ ପକ୍ଷରୁ ବିସ୍ଥାପିତ ମାନଙ୍କୁ ପୁର୍ନବାସ ଓ ଥଇଥାନ କରାଯାଇନାହିଁ । ପାଣି ନାହିଁ ତ ଭୋଟ ନାହିଁ, ପ୍ରତିବାଦରେ ଭୋଟ ବର୍ଜନ କଲେ ଗଞ୍ଜାମ ସାନଖେମୁଣ୍ଡି ଗୁଡିଆପାଟଣାଲୋକୋ ଏହି ଗାଁରେ ୬୦୦ରୁ ଅଧିକ ଭୋଟର ରହିଥିବା ବେଳେ ସମସ୍ତେ ମତଦାନ ପ୍ରକ୍ରିୟାକୁ ବର୍ଜନ କରିଛନ୍ତି । ଦୀର୍ଘ ଦିନ ହେବ ଏହି ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ପ୍ରତିବାଦରେ ରାସ୍ତାରେ ଗରା, ବାଲଟି ରଖି ପ୍ରତିବାଦ କରିବା ସହ ଏହି ଗାଁର ଭୋଟର ମାନେ ଭୋଟ ବର୍ଜନ କରିଥିବା ଦେଖିବାକୁ ମିଳିଛି । ଭୋଟ ବେଳେ ନେତା ଆସୁଛନ୍ତି ଭୋଟ ମାଗୁଛନ୍ତି । କିନ୍ତୁ ସମସ୍ୟାର ସମାଧାନ ହୋଇନଥିବାରୁ ବିଭିନ୍ନ ସ୍ଥାନରେ ଭୋଟରଙ୍କ ଅସନ୍ତୋଷ ଦେଖିବାକୁ ମିଳିିଛି ।