ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ, ପାଣ୍ଡିଆନଙ୍କ ଜବାବ: ମୋଦିଙ୍କୁ ୩ ପ୍ରଶ୍ନର ଉତ୍ତର ଦେଲେ ବିଜେଡି ନେତା

182

କନକ ବ୍ୟୁରୋ: ଅନୁଗୁଳ ଓ କଟକ ସଭାରେ ବିଜେଡିକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ସାଲେପୁରରେ ସଭା କରି ଜବାବ ଦେଇଥିଲେ ବିଜେଡି ନେତା ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ପ୍ରଧାନମନ୍ତ୍ରୀ ସଂସଦରେ ପ୍ରଶଂସା କରୁଥିଲେ, ନିର୍ବାଚନ ସମୟରେ କେମିତି ତାଙ୍କ ସ୍ୱର ବଦଳିଗଲା ବୋଲି ପ୍ରଶ୍ନ କରିଥିଲେ । ଧାନର ଏମଏସପି ଓ ୫୫ନମ୍ବର ଜାତୀୟ ରାଜପଥକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ।

ପ୍ରଧାନମନ୍ତ୍ରୀ ଆଜି ଓଡିଶା ଗସ୍ତରେ ଆସି ମାରାଥନ ପ୍ରଚାର କରିଛନ୍ତି । ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ନରେନ୍ଦ୍ର ମୋଦି । ଆଉ ସାଲେପୁର ସଭାସ୍ଥଳରୁ ପ୍ରଧାନମନ୍ତ୍ରୀଙ୍କ ୩ ପ୍ରଶ୍ନର ଉତର ଦେଇଛନ୍ତି ବିଜେଡି ନେତା ଭି.କେ.ପାଣ୍ଡିଆନ । ଚାଷୀଙ୍କୁ ଏମଏସପି ପ୍ରଶ୍ନ ନେଇ ମୋଦିଙ୍କ ଉପରେ ବର୍ଷିଛନ୍ତି ପାଣ୍ଡିଆନ । କହିଛନ୍ତି , ଚାଷୀଙ୍କୁ କେନ୍ଦ୍ର ସରକାର ୨୩୦୦ ଟଙ୍କା ଏମଏସପି ଦେଉଛନ୍ତି । କିନ୍ତୁ ଏମ୍ଏସପି ନେଇ ଏବେ ଭୂଆଁ ବୁଲାଉଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ୧୦ ବର୍ଷ ପରେ ଚାଷୀ ମନେପଡିଗଲା କାହିଁକି? ବୋଲି ସେ ପ୍ରଶ୍ନ କରିଛନ୍ତି । ପାଣ୍ଡିଆନ ଆହୁରି କହିଛନ୍ତି, ମୋଦି କହୁଛନ୍ତି ତାଙ୍କ ଶାସନ ଅଧିନରେ ସ୍ପିଡ କାମ ଚାଲୁଛି । ଏହାର ଉତର ଦେଇ ପାଣ୍ଡିଆନ କହିଛନ୍ତି, ୮ ବର୍ଷ ହେଲା କାହିଁକି ଜାତୀୟ ରାଜପଥ-୫୫ର କାମ ସରୁନାହିଁ ।

ପ୍ରଧାନମନ୍ତ୍ରୀ ଅନୁଗୁଳ ଓ କଟକରେ ରାଜ୍ୟ ସରକାରଙ୍କ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କୋଟେରୀ କଥା ଉଠାଇ ବର୍ଷିଛନ୍ତି । ସ୍ୱଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଉ ଏହାର ଜବାବ ରଖିଛନ୍ତି ଭି.କେ.ପାଣ୍ଡିଆନ । ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପାର୍ଲାମେଂଟରେ ପ୍ରଶଂସା କରିଥିଲେ । କିନ୍ତୁ ଏବେ ଭୋଟ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭାଷା ବଦଳିଯାଇଛି । ପାଣ୍ଡିଆନ ଆଜି ସାଲେପୁର, ଆଳି ଓ ରାଜନଗରରେ ପ୍ରଚାର କରି ବିଜେଡିି ପାଇଁ ଭୋଟ ମାଗିବା ସହ ବିଜେପି ଉପରେ ବର୍ଷିଥିଲେ ।