ମଞ୍ଚ ଉପରୁ ଗର୍ଜିଲେ ମୋଦୀ: କହିଲେ, ରତ୍ନଭଣ୍ଡାର ଚାବି ଚାଲିଯାଇଛି ତାମିଲନାଡୁ, ନିର୍ବାଚନୀ ସଭାରେ ଆକ୍ରମଣର ଗିୟର ବଢ଼ାଇଲେ ପ୍ରଧାନମନ୍ତ୍ରୀ

125

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନରେ ପୁରୀରେ ବିଶାଳ ରୋଡ ସୋ’ କରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ରୋଡ ସୋ’ କରୁଛନ୍ତି । ତୃତୀୟ ଥର ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମଣର ଗିଅରକୁ ବଢ଼ାଇଛନ୍ତି ମୋଦୀ । ଲୋକସଭା ଓ ବିଧାନସଭା ନିର୍ବାଚନରେ ମୁଖ୍ୟତଃ ବିଜେଡି ବିରୋଧରେ ଲଢ଼େଇ ହେଉଥିବାରୁ ଅତି କଡ଼ାରେ କରିଛନ୍ତି ସମାଲୋଚନା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ତାମିଲନାଡ଼ୁରେ ରହିଥିବା ଓ ବିଜେପି କ୍ଷମତାକୁ ଆସିଲେ ମାଫିଆଙ୍କ ଅଂଟା ଭାଙ୍ଗି ଦେବା ଭଳି କଥା କହି ବିଜେଡି ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଦେଖିବା ପୁରୀରେ ରୋଡ ସୋ’ କରିବା ପରେ ଅନୁଗୁଳ ଓ କଟକ ଜନସଭାରେ କଣ କହିଛନ୍ତି ମୋଦୀ ।

ପୁରୀରେ ରୋଡ୍ ସୋ, କଟକ ଓ ଅନୁଗୁଳରେ ଜନସଭା କରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ । ଯେତେବେଳେ ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ଗୋଟିଏ ପଟେ ଭୋଟଗ୍ରହଣ ଚାଲିଥିଲା, ସେତେବେଳେ ଅନ୍ୟ ଏକ ପଟରେ ରାଜ୍ୟ ସରକାର ଓ ପ୍ରଶାସନିକ ବ୍ୟବସ୍ଥାକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି ନରେନ୍ଦ୍ର ମୋଦୀ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ବିଜେପି ସବୁଠୁ ବଡ଼ ପ୍ରସଙ୍ଗ କରିଥିବା ବେଳେ ଦୁଇଟି ଯାକ ଜନସଭାରେ ଏହି କଥା ଉଠାଇଛନ୍ତି ମୋଦୀ । କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ସହ କଟାକ୍ଷ କରି ପ୍ରଧାନମନ୍ତ୍ରୀ କହଛନ୍ତି –
ରତ୍ନଭଣ୍ଡାର ଚାବି ତାମିଲନାଡୁ ଚାଲିଯାଇଛି
ଯେଉଁଠି ଥିଲେ ବି ଖୋଜି ବାହାର କରିବ ବିଜେପି ସରକାର
ଭ୍ରଷ୍ଟାଚାରୀଙ୍କୁ ଛାଡ଼ିବନି ବିଜେପି
ଜଣେ ମାଫିଆ ସବୁ କ୍ଷେତ୍ରକୁ କବ୍ଜା କରି ରଖିଛି
ବିଜେପି କ୍ଷମତାକୁ ଆସିଲେ ମାଫିଆଙ୍କ ଅଣ୍ଟା ଭାଙ୍ଗିଦେବ
ରାଜ୍ୟରେ ବିଜେପି ବହୁମତ ପାଇ ସରକାର ଗଢ଼ିବ
ଓଡ଼ିଶାର ବିକାଶ କରିବ ଡବଲ୍ ଇଂଜିନ ସରକାର

ତୃ୍ତୀୟ ଥର ପାଇଁ ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତକାଲି ରାତିରେ ଦଳୀୟ କାର୍ଯ୍ୟାଳୟରେ କର୍ମକର୍ତାଙ୍କ ସହ ବୈଠକ କରିବା ସହ ବିଜେପି ନିର୍ବାଚନ ୱାରରୁମ୍ର ଅନୁଧ୍ୟାନ କରିଥିଲେ । ଆଜି ସକାଳେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବା ପରେ ବଡ଼ଦାଣ୍ଡରେ ବିଶାଳ ରୋଡ୍ ସୋ’ କରି ବିଜେପି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ବିଜୟ କାମନା କରିଥିଲେ । ଏହା ପରେ ଅନୁଗୁଳ ଓ କଟକ ନିର୍ବାଚନୀ ସଭାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିଛନ୍ତି । ପୂର୍ବ ଦୁଇଟି ଗସ୍ତ ଠାରୁ ଆହୁରି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ । ଚିଟଫଣ୍ଡ ଆଦି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ପରୋକ୍ଷ ଚେତାବନୀ ଦେଇଛନ୍ତି ।

ଆଜି ପୂର୍ବଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ଆକ୍ରମଣ କରିନଥିଲେ ପ୍ରଧାନମନ୍ତ୍ରୀ । କିନ୍ତୁ ନବୀନ ନିବାସକୁ ଏକ କୋଟେରୀ ଘେରି ରହିଛି ବୋଲି କହି ବର୍ଷିଛନ୍ତି ମୋଦୀ । ୨୪ ବର୍ଷର ବିଜେଡି ଶାସନ କାଳରେ ରାଜ୍ୟରେ ଭ୍ରଷ୍ଟାଚାର ବଢ଼ିଛି, ଛୋଟ ଛୋଟ ବିଜେଡି ନେତା ମଧ୍ୟ କୋଟିପତି ବନିଛନ୍ତି କହି ସରକାରଙ୍କୁ ଘେରିଛନ୍ତି ।