ଇଭିଏମରେ ସିଲ୍ ହେଲା ବଡ଼ ନେତାଙ୍କ ଭାଗ୍ୟ: ୨ଟି ଆସନରେ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ ଭୋଟର

249

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସବୁଠାରୁ ଲୋକପ୍ରିୟ ଚେହେରା ହେଉଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ ଲଢ଼ୁଥିବା ଉଭୟ ହିଞ୍ଜିଳି ଓ କଂଟାବାଂଜି ଆସନରେ ଆଜି ଭୋଟ୍ ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ହାଇ ପ୍ରୋଫାଇଲ ନେତା ଆଜି ପରୀକ୍ଷା ଦେଇଛନ୍ତି । ସବୁ ନେତାଙ୍କ ମନରେ ଗୋଟିଏ ପ୍ରଶ୍ନ, ଏଥର ଆମେ ଜିତିବୁ ତ । ସେପଟେ ଅନେକ ନେତାଙ୍କ ପାଇଁ ଏ ନିର୍ବାଚନ ସମ୍ମାନର ପ୍ରଶ୍ନ ।

ନବୀନ ପଟ୍ଟନାୟକ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ସବୁଠୁ ଲୋକପ୍ରିୟ ଚେହେରା ଏବଂ ଚର୍ଚ୍ଚିତ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ଲଢୁଥିବା ଦୁଇଟି ଯାକ ବିଧାନସଭା ଆସନ ହିଞ୍ଜିଳି ଓ କଂଟାବାଞ୍ଜି ପାଇଁ ମତ ସାବ୍ୟସ୍ତ କରିଛନ୍ତି ଭୋଟର୍ । ଦ୍ୱିତୀୟ ଥର ପାଇଁ ଏଭଳି ହୋଇଛି, ଯେତେବେଳେ ମୁଖ୍ୟମନ୍ତ୍ରୀ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଛନ୍ତି । ଆଉ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଭୋଟ୍ ଦେବାର ସୁଯୋଗ ମିଳିଥିବାରୁ ଭୋଟର୍ଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ବିଜେପୁର ପରେ କଂଟାବାଞ୍ଜିରୁ ନିର୍ବାଚନ ଲଢ଼ିବା ପଛରେ ଏକ ବଡ଼ ରାଜନୈତିକ ରଣକୌଶଳ ଥିବା କୁହାଯାଉଛି । ବଲାଙ୍ଗୀର ଲୋକସଭାର କଂଟାବାଞ୍ଜି ଆସନ ଏଭଳି ଏକ କେନ୍ଦ୍ରସ୍ଥଳରେ ରହିଛି, ଯେଉଁଠି ପଶ୍ଚିମ ଓଡ଼ିଶାର ୪ ଲୋକସଭା ଆସନ ଭୋଟର୍ଙ୍କୁ ପ୍ରଭାବିତ କରାଯାଇପାରେ । ତେବେ କଂଟାବାଞ୍ଜିରେ ଏଥର ବିଜେପିର ଲକ୍ଷ୍ମଣ ବାଗ ଏବଂ କଂଗ୍ରେସର ସନ୍ତୋଷ ସିଂ ସାଲୁଜାଙ୍କ ଭଳି ନେତାଙକ ସହ ଟକ୍କର ହୋଇଛି ।

ସେହିପରି ବିଜେପିର ଲୋକସଭା ପ୍ରାର୍ଥୀ ଜୁଏଲ୍ ଓରାମ ଲଢ଼ୁଥିବା ସୁନ୍ଦରଗଡ଼ ଆସନ ପାଇଁ ଭୋଟ୍ ମଧ୍ୟ ପଡ଼ିଛି । ସାଂସଦ ଥିବା ଜୁଏଲଙ୍କୁ ସୁନ୍ଦରଗଡ଼ ଭୋଟର୍ ପୁଣି ଥରେ ସୁଯୋଗ ଦେଇଛନ୍ତି, ନା ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କୁ ବାଛିଛନ୍ତି, ତାହା ଇଭିଏମ୍ ଖୋଲିବା ପରେ ଜୁନ୍ ୪ ତାରିଖରେ ସ୍ପଷ୍ଟ ହେବ ।

ସେପଟେ ବିଜେପିର ଅନ୍ୟତମ ଶୀର୍ଷ ନେତ୍ରୀ ସଂଗୀତା ସିଂଦେଓଙ୍କ ମଧ୍ୟ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ବଲାଙ୍ଗୀର ସାଂସଦ ଥିବା ସଂଗୀତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରଚାର କରିଥିଲେ । ତେବେ ଏଥର ଲଢ଼େଇ ସହଜ ହୋଇନପାରେ । କାରଣ, ସଂଗୀତା ସିଂଦେଓଙ୍କ ବିରୋଧରେ ବିଜେଡିର ସୁରେନ୍ଦ୍ର ସିଂ ଭୋଇ ଏବଂ କଂଗ୍ରେସର ମନୋଜ ମିଶ୍ରଙ୍କ ଭଳି ପ୍ରାର୍ଥୀ । ତେବେ ରାଜନୀତିର ଏହି ପ୍ରତିଦ୍ୱନ୍ଦିତା ଭିତରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୋଦୀଙ୍କ ରାଲି ଓ ସଭାର ବଡ଼ ପ୍ରଭାବ ପଡ଼ିଥାଇପାରେ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।