ଘସିପୁରାରେ ବିଜେଡି ପ୍ରାର୍ଥୀ ସମର୍ଥକଙ୍କ ଦାଦାଗିରି: କଡ଼ା ସମାଲୋଚନା କଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ

253

କନକ ବ୍ୟୁରୋ: ବରଗଡରେ ହତ୍ୟାକାଣ୍ଡ ଘଟିଥିବାବେଳେ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଗୁଣ୍ଡାଗର୍ଦି ଓ ହିଂସାକାଣ୍ଡର ଚିତ୍ର । କେଉଁଠି ଶାସକ ଦଳର କର୍ମୀ ପ୍ରଚାର ଗାଡିକୁ ଅଟକାଇ ନାରାବାଜି କରିଛନ୍ତି ତ ଆଉ କେଉଁଠି ବୁଥ ରିଗିଂ କରିଥିବା ଅଭିଯୋଗ ହୋଇଛି ।

କେନ୍ଦୁଝର ଘଷିପୁରା ବିଧାନସଭା କ୍ଷେତ୍ରରୁ ଆସିଛି ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଦାଦାଗିରିର ଚିତ୍ର । ବିଚ୍ ରାସ୍ତାରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀଙ୍କ ରାଲିକୁ ଅଟକାଇ ହଙ୍ଗାମା କରିଛନ୍ତି ବିଜେଡି ନେତା ବଦ୍ରି ପାତ୍ରଙ୍କ ସମର୍ଥକ । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଚାର ଗାଡିକୁ ଅଟକାଇବା ସହ ଗୁଣ୍ଡାଗର୍ଦ୍ଦି କରି ଆତଙ୍କ ଖେଳାଇଛନ୍ତି । ଅଶ୍ରାବ୍ୟ ଭାଷାରେ ମଧ୍ୟ ଗାଳି ଗୁଲଜ କରିବା ସହ ଧମକ ଚମକ ଦେଇଛନ୍ତି । ଏଥିସହ ତାଙ୍କ ସମର୍ଥକଙ୍କୁ ଜାଣିଶୁଣି ପୋଲିସ ଲଗାଇ ଗିରଫ କରାଯାଉଥିବା ସୌମ୍ୟ ରଞ୍ଜନ ଅଭିଯୋଗ ଆଣିଛନ୍ତି ।

ଘଷିପୁରା ହିଂସାକାଣ୍ଡ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତିି । କହିଛନ୍ତି, ହିଂସାକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଯାଇଛି । ଘଷିପୁରା ସ୍ଥିତି ନେଇ ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି । ଶାନ୍ତି ଶୃଂଖଳା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନ ସମୟରେ ଘଟୁଥିବା ହିଂସାକୁ ନେଇ, ବିଜେପି ବିଧାୟିକା କୁସୁମ ଟେଟେ ଶାସକ ଦଳକୁ କଟାକ୍ଷ କରିଛନ୍ତି । ହିଂସା ଘଟାଇବା ବିଜେଡିର ଏକ ପରମ୍ପରା ବୋଲି କହିଛନ୍ତି । ଘଷିପୁରା ପରେ ଭଞ୍ଜନଗରରୁ ଆସିଛି ଗୁଣ୍ଡାଗର୍ଦି ଓ ବୁଥ୍ ରିଗିଂ ଅଭିଯୋଗ । ଭଂଜନଗର ନିର୍ବାଚନ ମଣ୍ଡଳିର ତୁରୁମି ପଂଚାୟତର ବେରୁଆବାଡି ଗାଁର ୪୭ ନମ୍ବର ବୁଥ୍ରେ ମତଦାନ ଚାଲିଥିବା ହଙ୍ଗାମା ଦେଖିବାକୁ ମିଳିଛି । ବିଜେଡି ଓ ବିଜେପି କର୍ମୀ ମାଡ ମରାମରି ହୋଇଛନ୍ତି । ତେବେ ବିଜେଡି କର୍ମୀ ବୁଥ୍ ରିଗିଂ ପାଇଁ ଚେଷ୍ଟା କରୁଥିବା ବେଳେ ବିଜେପି କର୍ମୀ ବିରୋଧ କରିବାରୁ ଏହି ହଂଗାମା ହୋଇଥସୂଚନା ମିଳିଛି । ଅନ୍ୟପଟେ ନିର୍ବାଚନ ହିଂସାରେ ଜୀବନ ଯାଇଥିବା ଦିଲ୍ଲୀପଙ୍କ ପତ୍ନୀ ଓ ସମ୍ପର୍କୀୟ ବୁଥକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ତେବେ ଭୋଟ ଦେବାକୁ ଯାଇଥିବା ଦିଲ୍ଲୀପଙ୍କ ସମ୍ପର୍କୀୟ ଭାବବିହ୍ୱଳ ହେବା ସହ କାନ୍ଦି ପକାଇଛନ୍ତି ।