ତୁର୍କୀରେ ଭୂମିକମ୍ପ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଶଙ୍କା, ୮ଗୁଣ ବଢିବ ମୃତକଙ୍କ ସଂଖ୍ୟା !

132

କନକ ବ୍ୟୁରୋ : ତୁର୍କୀ ଓ ସିରିଆରେ ୮ ଗୁଣ ଅଧିକ ହୋଇପାରେ ମୃତାହତଙ୍କ ସଂଖ୍ୟା । ଏଭଳି ଆଶଙ୍କା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ପ୍ରକୃତିର ଭୟଙ୍କର ତାଣ୍ଡବରେ ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ଆଶଙ୍କା କରାଯାଉଛି । ଭୂକମ୍ପ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି ତୁର୍କୀ । ଏଠାରେ ପାଖାପାଖି ୩ ହଜାର ଲୋକଙ୍କ ଜୀବନ ଯାଇଛି । ସିରିଆ ସୀମାକୁ ଲାଗିଥିବା ଏହି ଦେଶରେ ୩ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ସେହିପରି ସିରିୟାରେ ମଧ୍ୟ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ତୁର୍କୀରେ ପ୍ରଥମ ଝଟକା ଯୋଗୁ ୧୦ଟି ସହର ପ୍ରଭାବିତ ହୋଇଥିଲା । ତୁର୍କୀରେ ସପ୍ତାହେବ୍ୟାପୀ ଜାତୀୟ ଶୋକ ଘୋଷଣା କରାଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି । ଏହି ଘଟଣା ପରେ ସାରା ଦେଶରେ ସ୍କୁଲ ଗୁଡ଼ିକୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଦେଶରେ ଖାଦ୍ୟାଭାବ ସମସ୍ୟା ଦେଖାଦେଇଛି ।

ପ୍ରଭାବିତ ହୋଇଛି ମୋବାଇଲ୍ ନେଟୱର୍କ । ଆର୍ଥିକ ସ୍ଥିତି ଭୁଶୁଡିବା ଆଶଙ୍କା କରାଯାଉଛି । ୮୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ଭୂମିକମ୍ପ ବୋଲି କୁହାଯାଉଛି । ଏହି ପ୍ରାକୃତିକ ବିପର୍ଯ୍ୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି । ୩ ହଜାରରୁ ଅଧିକ ବିଶାଳକାୟ ଅଟ୍ଟାଳିକା ଧ୍ୱଂସସ୍ତୁପରେ ପରିଣତ ହୋଇଛି ।