ସହାୟତାର ହାତ ବଢାଇଲା ଭାରତ । ମୋଦିଙ୍କ ପ୍ରଶଂସା କଲା ତୁର୍କୀ

312

କନକ ବ୍ୟୁରୋ : ପ୍ରକୃତିର ଭୟଙ୍କର ତାଣ୍ଡବରେ ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ଆଶଙ୍କା କରାଯାଉଛି । ଭୂକମ୍ପ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ତୁର୍କୀ । ଏଠାରେ ପାଖାପାଖି ୩ ହଜାର ଲୋକଙ୍କ ଜୀବନ ଯାଇଛି । ସିରିୟା ସୀମାକୁ ଲାଗିଥିବା ଏହି ଦେଶରେ ୩ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେହିପରି ସିରିୟାରେ ମଧ୍ୟ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ତୁର୍କୀରେ ପ୍ରଥମ ଝଟକା ଯୋଗୁ ୧୦ଟି ସହର ପ୍ରଭାବିତ ହୋଇଥିଲା । ତୁର୍କୀରେ ସପ୍ତାହେ ବ୍ୟାପୀ ଜାତୀୟ ଶୋକ ଘୋଷଣା କରାଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆଉ ଏହାରି ଭିତରେ ତୁର୍କୀକୁ ସହାୟତାର ହାତ ବଢାଇଛି ଭାରତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଭାରତ ତୁର୍କୀକୁ ତୁରନ୍ତ ସହାୟତାର ହାତ ବଢାଇଛି । ଏନଡିଆରଏଫର ରେସକ୍ୟୁ ଟିମ୍, ଔଷଧ ଏବଂ ମେଡିକାଲ ଟିମ୍ ତୁର୍କୀ ପହଞ୍ଚିଛନ୍ତି । ଏହା ପୂର୍ବରୁ ପିଏମ୍ ମୋଦି ତୁର୍କୀର ରାଷ୍ଟ୍ରପତିଙ୍କ ଟ୍ୱିଟରେ ଦୁଃଖ ପ୍ରକାଶ କରି କହିଛନ୍ତି, ତୁର୍କୀରେ ଯେଉଁସବୁ ଧନଜୀବନ କ୍ଷତି ହୋଇଛି ସେଥିପାଇଁ ମୁଁ ଦୁଃଖିତ । ଶୋକ ସନ୍ତପ ପରିବାର ପ୍ରତି ମୋର ସମ୍ବେଦନା ରହିଛି । ଆଶା କରୁଛି ଯେଉଁମାନେ ଏହି ଭୂମୀକମ୍ପରେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ତୁରନ୍ତ ଚିକିତ୍ସା ମିଳିବା ସହ ସେମାନେ ଶୀଘ୍ର ସୁସ୍ଥ ହୋଇଯିବେ । ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି କି, ତୁର୍କୀ ସହ ଭାରତ ଦୃଢତାର ସହ ଛିଡା ହୋଇଛି । ଯଥା ସମ୍ଭବ ଭାରତ ତୁର୍କୀକୁ ସହାୟତା କରିବ । ଟ୍ୱିଟ୍ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ତୁରନ୍ତ ତୁର୍କୀକୁ ସହାୟତା ଯୋଗାଇ ଦେଇଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ତୁର୍କୀ କହିଛି, ଅସୁବିଧା ସମୟରେ ସାଥୀରେ ଛିଡା ହେଉଥିବା ଲୋକ ହିଁ ପ୍ରକୃତ ବନ୍ଧୁ ।