ଆଜି ପୁଣି ଥରିଲା ତୁର୍କୀ : ଭୂକମ୍ପର ତୀବ୍ରତା ୫.୬; ସହାୟତା ପାଇଁ ଗଲା ଭାରତର ଏନଡିଆରଏଫ ଟିମ୍

144

କନକ ବ୍ୟୁରୋ : ଭୟଙ୍କର ଭୂମିକମ୍ପରେ ପୁଣି ଥରି ଉଠିଲା ତୁର୍କୀ । ତୁର୍କୀର ଗୋଲାବାସୀ ସହରରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୬ ରେକର୍ଡ କରାଯାଇଛି । ବାରମ୍ବାର ଭୂକମ୍ପ କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ବର୍ତ୍ତମାନ ସୁଦ୍ଧା ୪ହଜାରରୁ ଉର୍ଦ୍ଧ୍ୱ ମୃତଦେହ ଉଦ୍ଧାର ହେଲାଣି ।

ଏଠାରେ ପାଖାପାଖି ୩ ହଜାର ଲୋକଙ୍କ ଜୀବନ ଯାଇଛି । ସିରିୟା ସୀମାକୁ ଲାଗିଥିବା ଏହି ଦେଶରେ ୩ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେହିପରି ସିରିୟାରେ ମଧ୍ୟ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ତୁର୍କୀରେ ପ୍ରଥମ ଝଟକା ଯୋଗୁଁ ୧୦ଟି ସହର ପ୍ରଭାବିତ ହୋଇଥିଲା । ତୁର୍କୀରେ ସପ୍ତାହେବ୍ୟାପୀ ଜାତୀୟ ଶୋକ ଘୋଷଣା କରାଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି ।

ଏହି ଘଟଣା ପରେ ସାରା ଦେଶରେ ସ୍କୁଲ ଗୁଡ଼ିକୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଦେଶରେ ଖାଦ୍ୟାଭାବ ସମସ୍ୟା ଦେଖାଦେଇଛି । ପ୍ରଭାବିତ ହୋଇଛି ମୋବାଇଲ୍ ନେଟ୍ୱର୍କ । ଆର୍ଥିକ ସ୍ଥିତି ଭୁଶୁଡିବା ଆଶଙ୍କା କରାଯାଉଛି । ୮୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ଭୂମିକମ୍ପ ବୋଲି କୁହାଯାଉଛି । ଏହି ପ୍ରାକୃତିକ ବିପର୍ଯ୍ୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି । ୩ ହଜାରରୁ ଅଧିକ ବିଶାଳକାୟ ଅଟ୍ଟାଳିକା ଧ୍ୱଂସସ୍ତୁପରେ ପରିଣତ ହୋଇଛି ।