କେନ୍ଦୁପତ୍ର ତୋଳାରେ ମାଲେମାଲ ମାଲିକ: ଶୋଷଣର ଶିକାର ହେଉଛନ୍ତି କେନ୍ଦୁପତ୍ର ତୋଳାଳି

116

କନକ ବ୍ୟୁରୋ: ଚୋରି ହେଉଛି ସବୁଜହୀରା । ବେସରକାରୀ ସଂସ୍ଥା କରୁଛି ମନମାନି । କେଉଁଠି ବିନା ରସିଦରେ କିଣୁଛି ତ ଆଉ କେଉଁଠି ସଲାସୁତୁରା କରି ରାଜସ୍ୱ ଫାଙ୍କୁଛି । ସରକାରୀ ଫୋଡି ବଦଳରେ ବେସରକାରୀ ଫୋଡିରେ ଦେବାକୁ ଆସୁଛନ୍ତି କେନ୍ଦୁପତ୍ର ତୋଳାଳି । ଏପଟେ ପତ୍ରର କୈଣସି ଧାର୍ଯ୍ୟ ମୂଲ୍ୟ ରହୁନଥିବା ବେଳେ ଶୋଷଣର ଶିକାର ହେଉଛନ୍ତି ଆଦିବାସୀ । ସେହିପରି ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଆସିଛି ପ୍ରଶାସନିକ ବିଫଳତାର ଆଉ ଏକ ଚିତ୍ର । କଡାକଡି ନିୟମ ପରେ ବି ଫୋଡିରେ ନିୟୋଜିତ ହେଉଛନ୍ତି ଶିଶୁ ଶ୍ରମିକ । ଦିବା ଆଲୋକର ଟାଣ ଖରାରେ କେନ୍ଦୁପତ୍ର ବିଡା ଓଲଟାଇବା ଓ ଶୁଖାଇବା କାମରେ ନିୟୋଜିତ ହେଉଛନ୍ତି ଶିଶୁ ।

ମାଲକାନଗିରିରେ କେନ୍ଦୁପତ୍ର ତୋଳାରେ ମାଲେମାଲ ମାଲିକ । ଶୋଷଣର ଶିକାର ହେଉଛନ୍ତି କେନ୍ଦୁପତ୍ର ତୋଳାଳି । ସରକାରୀ ମୂଲ୍ୟ ଠାରୁ କମ୍ ଦରରେ କେନ୍ଦୁପତ୍ର କିଣି ନେଉଛି ବେସରକାରୀ ସଂସ୍ଥା । ସରକାରୀ ଫୋଡିରେ ଠିକ ସମୟରେ ଅର୍ଥ ପାଉଥିବାରୁ ବେସରକାରୀ ସଂସ୍ଥା ଉପରେ ନିର୍ଭର ହେଉଛନ୍ତି ଆଦିବାସୀ । ସରକାରୀ ଫୋଡିରେ ୧୦୦ ବିଡାକୁ ବୋନସ ସହ ୪ ଶହ ଟଙ୍କା ରହିଛି । ଏହାସହ ବିଭିନ୍ନ ବୀମାରେ ତୋଳାଳିଙ୍କୁ ଅନ୍ତର୍ଭୁକ୍ତ କରିବା ନିୟମ ରହିଛି । କିନ୍ତୁ ବେସରକାରୀ ସଂସ୍ଥାରେ ସେପରି କୌଣସି ଧାର୍ଯ୍ୟ ମୂଲ୍ୟ ନିର୍ଣ୍ଣୟ କରିନି ପ୍ରଶାସନ । ତେଣୁ ମନଇଛା ଦରରେ ପତ୍ର କିଣି ନେଇ ଆଦିବାସୀଙ୍କୁ ଶୋଷଣ କରୁଛି ବେସରକାରୀ ସଂସ୍ଥା । ମାଲକାନଗିରି ଜିଲା ମାଥିଲି ବ୍ଲକରେ କେନ୍ଦୁପତ୍ର କିଣିବା ଲାଗି ବେସରକାରୀ ସଂସ୍ଥା ନିୟୋଜିତ ହୋଇଛନ୍ତି । କିନ୍ତୁ କିଛି ଦଲାଲ ବିନା ରସିଦ୍ରେ ୨୦ଟି ପଂଚାୟତରୁ କେନ୍ଦୁପତ୍ର କ୍ରୟ କରି ରାଜସ୍ୱ ଫାଙ୍କୁଥିବା ଅଭିଯୋଗ ହୋଇଛି ।

ଏଠାରେ ପ୍ରଶାସନିକ ବିଫଳତାର ଆଉ ଏକ ଚିତ୍ର ଦେଖିବାକୁ ମିଳିଛି । କଡାକଡି ନିୟମ ପରେ ବି ଫୋଡିରେ ନିୟୋଜିତ ହେଉଛନ୍ତି ଶିଶୁ ଶ୍ରମିକ । ଧୁ ଧୁ ଟାଣ ଖରାରେ କାମ କରୁଛନ୍ତି କୋମଳମତି ଶିଶୁ । ଦିନ ତମାମ୍ କେନ୍ଦୁପତ୍ର ଓଲଟାଇବା ଏବଂ ଶୁଖାଇବାରେ କାମ କରୁଛନ୍ତି । ଆଉ ୧୦୦ ବିଡାକୁ ଓଲଟାଇବା ଲାଗି ମାତ୍ର ୨ ଟଙ୍କା ପାରିଶ୍ରମିକ ଦେଉଛନ୍ତି ପତ୍ରକ୍ରୟ କର୍ମଚାରୀ । ଦିନ ସାରା କାମ କରିବା ପରେ ଜଣଙ୍କ ପିଛା ମିଳୁଛି ୭୦ରୁ ୮୦ ଟଙ୍କା । ଶିଶୁ ଶ୍ରମିକଙ୍କୁ କାମରେ ଲଗାଇବା ସରକାରୀ ନିୟମ ବିରୁଧ ହୋଇଥିଲେ ବି ପ୍ରଶାସନିକ ଅଧିକାରୀଙ୍କ ଏ ବାବଦରେ ମୁହଁ ଖୋଲୁନାହାନ୍ତି ।

ମାଥିଲି ବ୍ଲକରେ ଚଳିତ ବର୍ଷ କେନ୍ଦୁପତ୍ର କ୍ରୟ ଲାଗି ୨୦ଟି ପଂଚାୟତରେ ୬୩ଟି ରସିଦ ଦିଆଯାଇଛି । ପ୍ରାଥମିକ ଭାବେ ରସିଦ କାଟି ପତ୍ର କିଣୁଥିବା ବେଳେ କିଛି ଦଲାଲ ବିନା ଅନୁମତିରେ ପଂଚାୟତ ସହ ସଲାସୁତରା କରି ପତ୍ର କିଣୁଛନ୍ତି । ସରକାରୀ ଭାବେ ୬୭ଟି ଫୋଡି ରହିଛି । ୭ହଜାର ୪୫ ଜଣ କେନ୍ଦୁପତ୍ର ତୋଳାଳି ରହିଛନ୍ତି ।