ରାୟଗଡାରେ ଦେଖାଦେଇଛି ପେଟ୍ରୋଲ-ଡିଜେଲର କୃତ୍ରିମ ଅଭାବ: ତେଲ ନଥିବାରୁ ବନ୍ଦ ରହିଛି ୧୫ଟି ପେଟ୍ରୋଲ ପମ୍ପ

211

କନକ ବ୍ୟୁରୋ: ରାୟଗଡା ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲର କୁତ୍ରିମ ଅଭାବ, ନଗଦ ନଦେଲେ ଡିପୋରୁ ମିଳୁନି ତୈଳ, ୪୯ଟି ପମ୍ପ୍ରୁ ୧୫ଟି ପମ୍ପ୍ ସଂପୂର୍ଣ୍ଣ ବନ୍ଦ, ବାଇକ୍କୁ ୧ ଲିଟର ଓ କାର୍ କୁ ମିଳୁଛି ୭ ଲିଟର । ଜିଲ୍ଲାରେ ତୈଳର ଏପରି ପରିସ୍ଥିତି କେବେ ହୋଇନଥିଲା । ତେବେ ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଦି ଓ ଘୋର ଅଭାବ ଯୋଗୁଁ ଏପରି ସମସ୍ୟା ହେଉଥିବା କିଛି ପେଟ୍ରୋଲ୍ ଓ ଡିଜେଲ୍ ପମ୍ପ୍ ମାଲିକ ସୂଚନା ଦେଇଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି କିଛି ଦିନ ଭିତରେ ଏହି ସମସ୍ୟାର ସମାଧାନ କରାଯିବ ।

ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ । ଟାଣ ଖରାରେଧାଡିରେ ଠିଆ ହୋଇଛନ୍ତି ବାଇକ୍ ଆରୋହି । ଦୀର୍ଘ ସମୟ ଧରି ଅପେକ୍ଷା କରିବା ବାଇକ୍ ପାଇଁ ମିଳୁଛି ୧ ଲିଟର ପେଟ୍ରୋଲ । ଆଉ କାର ପାଇଁ ଦିଆଯାଉଛି ୭ ଲିଟର ତେଲ । ସେ ପେଟ୍ରୋଲ ହେଉ ବା ଡିଜେଲ । ରାୟଗଡା ଜିଲ୍ଲାରେ ପେଟ୍ରୋଲ-ଡିଜେଲକୁ ନେଇ ଏଭଳି ପରିସ୍ଥିତି ଉପୁଜିଛି । ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲର କୃତ୍ରିମ ଅଭାବ ଦେଖାଦେଇଛି । ରାୟଗଡା ଜିଲ୍ଲାରେ ୪୯ଟି ପେଟ୍ରୋଲ ପମ୍ପ ରହିିଛି । ଏବେ ତେଲ ଅଭାବରୁ ୧୫ଟି ପେଟ୍ରୋଲ ପମ୍ପ ସଂପୂର୍ଣ୍ଣ ବନ୍ଦ ରହିଛି । ତେଣୁ ଯେଉଁ ପେଟ୍ରୋଲ ପମ୍ପ ଖୋଲା ଅଛି, ସେଠାରେ ଗ୍ରାହକଙ୍କ ଭିଡ ଲାଗିଛି ।

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ବୃଦ୍ଧି ଓ ତୈଳ ଉତ୍ପାଦନରେ ହ୍ରାସ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଡିପୋରେ ନଗଦ ଟଙ୍କା ନଦେଲେ ତେଲ ମିଳୁନାହିଁ । ଆଇଓସିଏଲ, ବିପିସିଏଲ୍ ଓ ଏଚପିସିଏଲ୍ ଯଥାକ୍ରମେ ଖୋର୍ଦ୍ଧା ଜଟଣୀ, ପାରାଦୀପ ଓ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସହରରୁ ତେଲ ରପ୍ତାନୀ ହୋଇଥାଏ । ନଗଦ ଟଙ୍କା ଦେଇ ବ୍ୟାରେଲ ବ୍ୟାରେଲ ତେଲ ଉଠାଇବାକୁ ପଡୁଛି, ତେଣୁ ଗ୍ରାହକଙ୍କ ଚାହିଦା ମୁତାବକ ତେଲ ଯୋଗାଇ ହେଉନଥିବା ପେଟ୍ରୋଲ ପମ୍ପ ମାଲିକମାନେ କହିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି, ଏନେଇ ଆଲୋଚନା ଚାଲିଛି, ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ । ଶୁକ୍ରବାର ରାୟଗଡା ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୧୬୬ ଟଙ୍କା ୩୫ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୧୦୫ ରହିଛି ।