ଚୀନ ନାଗରିକଙ୍କ ପର୍ଯ୍ୟଟନ ଭିସା ରଦ୍ଦ ପରେ ଏବେ ଚେତିଲା ଚୀନ, ଜାଣନ୍ତୁ କଣ ନେଲା ନିଷ୍ପତ୍ତି

1,243

କନକ ବ୍ୟୁରୋ : ଦୁଇବର୍ଷ ପରେ ଚୀନ ସରକାର ଭାରତର କିଛି ନାଗରିକଙ୍କୁ ଚୀନ ଯାଇ ପାଠ ପଢିବାକୁ ଅନୁମତି ଦେଇଛନ୍ତି । ଏହାସହ ଚୀନ ସରକାର ଛାତ୍ରମାନଙ୍କ ଠାରୁ କିଛି ଜରୁରୀ ସୂଚନା ମାଗିଛନ୍ତି । ଚୀନରେ ଥିବା ଭାରତୀୟ ଦୂତାବାସ ତରଫରୁ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି । ଭାରତୀୟ ଦୂତାବାସ ତରଫରୁ କୁହାଯାଇଛି କି, ମାର୍ଚ୍ଚ ୨୫ ତାରିଖରେ ଚୀନ ବିଦେଶମନ୍ତ୍ରୀ ବାଙ୍ଗ ୟୀଙ୍କ ସହ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକରଙ୍କର ବୈଠକ ପରେ ଚୀନ ଏବେ ଭାରତୀୟ ଛାତ୍ରଙ୍କ ଫେରିବା ଉପରେ ଇଚ୍ଛା ପ୍ରକାଶ କରିଛନ୍ତି । ଏହାସହ ଚୀନ ସରକାରଙ୍କ ତରଫରୁ ଭାରତୀୟ ଛାତ୍ରଙ୍କୁ ମଇ ୮ ତାରିଖ ସୁଦ୍ଧା ଫର୍ମ ପୂରଣ କରି ସୂଚନା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

କହିରଖୁ କି ଚୀନରେ ୨୩ ହଜାର ଭାରତୀୟ ଛାତ୍ର ମେଡିକାଲ ପଢୁଛନ୍ତି । ସେମାନେ କରୋନା ସମୟରେ ଚୀନରୁ ଭାରତ ଫେରି ଆସିଥିଲେ । ହେଲେ କରୋନାର ପ୍ରକୋପ କମିବା ପରେ ଯେତେବେଳେ ଭାରତୀୟ ଛାତ୍ରମାନେ ପୁଣି ଚୀନ ଫେରିଯାଇ ପାଠପଢିବାକୁ ଇଚ୍ଛା ପ୍ରକାଶ କରିଥିଲେ ସେତେବେଳେ ଚୀନ ତରଫରୁ ସେମାନଙ୍କୁ ଭିସା ମିଳି ନଥିଲା ।

 

ଏସବୁକୁ ନଜରରେ ରଖି ଭାରତ ସରକାର ଏହାର ବିରୋଧ କରି କିଛିଦିନ ତଳେ ଚୀନ ନାଗରିକଙ୍କ ପାଇଁ ଭାରତ ଆସିବାକୁ ଯେଉଁ ପର୍ଯ୍ୟଟନ ଭିସାର ସୁବିଧା ଥିଲା ତାହାକୁ ରଦ୍ଦ କରିଦେଇଥିଲେ । ଭାରତ ସରକାର ଏହି ଭିସା ରଦ୍ଦ କରିବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଚୀନର ଚେତା ପଶିଛି ଓ ସେ ଭାରତୀୟ ନାଗରିକ (ଯେଉଁମାନେ ଚୀନରେ ରହି ପାଠ ପଢୁଥିଲେ) ସେମାନଙ୍କୁ ପୁଣି ଚୀନ ପ୍ରତ୍ୟାବର୍ତ୍ତନ କରିବାକୁ ଅନୁରୋଧ କରିଛି ।