ଟମାଟୋ ଚାଷୀଙ୍କ ଦୁଃଖ: କେନ୍ଦୁଝରରେ କିଲୋପିଛା ୨ରୁ ୩ଟଙ୍କାରେ ବିକ୍ରି ହେଉଛି ଟମାଟୋ

92

କନକ ବ୍ୟୁରୋ: ବିଲାତି ପାଇଁ ଚାଷୀଙ୍କ ମୁଣ୍ଡ ବ୍ୟଥା । କେତେବେଳେ ଶହେ ତ ପୁଣି କେତେବେଳେ ଟଙ୍କାଏ । ବର୍ଷର କିଛି ସମୟ ବିଲାତିର ମୂଲ୍ୟ ଶହେ ଛୁଉଁଥିବା ବେଳେ ଅମଳ ସମୟରେ କିଲୋପିଛା ୨ରୁ୩ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । କିଛି ମାସ ପୂର୍ବରୁ ବାହାର ରାଜ୍ୟରୁ ଆସୁଥିବା ବିଲାତିର ମୂଲ୍ୟ ୬୦ରୁ ୭୦ଟଙ୍କା ରହୁଥିଲା । ଆଉ ଏବେ ମୂଲ୍ୟରେ ହ୍ରାସ ପାଇଁ ୨ରୁ ୩ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । ଯାହା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସୂଚନା ଅନୁସାରେ କେନ୍ଦୁଝର ସଦର ବ୍କ ରାଇସୁଅାଁ, ଟିକରପଡ଼ା, ମଧେଇଯୋଡ଼ା, ପଦମପୁର ଭଳି ଅଂଚଳରେ ଏକର ଏକର ଜମିରେ ବିଲାତି ଚାଷ କରନ୍ତି ଚାଷୀ । ଚଳିତ ବର୍ଷ ଭଲ ଚାଷ ହୋଇଥିବାରୁ ଭଲ ରୋଜଗାର ହେବ ବୋଲି କେତେ ଆଶା କରିଥିଲେ ଚାଷୀ । କିନ୍ତୁ ଏହି ଆଶା ଏବେ ଆଶାରେ ରହିଯାଇଛି । ୩୦ କିଲିଆ ଟମାଟୋ ଟ୍ରେକୁ ୭୦ରୁ ୮୦ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । ଯଉଁଥିରେ ଚାଷୀ ଖଟାଇଥିବା ପଇସା ଉଠୁନାହିଁ । ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । କମ୍ ଦରରେ ଟମାଟୋ ବିକ୍ରି ହଉଥିବାରୁ ଚାଷୀଙ୍କର ବ୍ୟାପକ କ୍ଷତି ହୋଇଛି । ତେଣୁ ସରକାରଙ୍କ ପକ୍ଷରୁ ଶୀତଳଭଣ୍ଡାରଟିଏ ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି ।