ଭାରତର ‘ଟୟଲେଟ୍ ମ୍ୟାନ’ଙ୍କ ପରଲୋକ । ନବବଧୂର କାନ୍ଦ ଶୁଣି ଆରମ୍ଭ କରିଥିଲେ ‘ସୁଲଭ ଆନ୍ଦୋଳନ’

318

କନକ ବ୍ୟୁରୋ: ଭାରତରେ ଟୟଲେଟ୍ କ୍ରାନ୍ତିର ଜନକ ତଥା ସୁଲଭ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କର ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ପାଠକ ମଙ୍ଗଳବାର ସ୍ୱାଧୀନତା ଦିବସ ଉପଲେକ୍ଷେ ନିଜ କାର୍ଯ୍ୟାଳୟ ପରିସରରେ ତ୍ରିରଙ୍ଗା ଉତ୍ତୋଳନ କରିବା ପରେ ହଠାତ୍ ତଳେ ପଡିଯାଇଥିଲେ । ତାଙ୍କୁ ଏମ୍ସ ହସ୍ପିଟାଲ ନିଆଯାଇଥିଲେ ବି ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ ।

ପାଠକଙ୍କ ନିଆରା ସ୍ୱଚ୍ଛତା ଅଭିଯାନ ପାଇଁ ଦେଶରେ ତାଙ୍କୁ ଅନେକ ‘ ସ୍ୱଚ୍ଛତା ସାନ୍ତା କ୍ଲଜ୍’ ବୋଲି କହୁଥିବାବେଳେ ଅନେକ ତାଙ୍କୁ ‘ଟୟଲେଟ୍ ମ୍ୟାନ’ ଭାବେ ଜାଣନ୍ତି । ଜଣେ ନବ ବଧୂର କାନ୍ଦ ହିଁ ପାଠକଙ୍କୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବାକୁ ପ୍ରେରଣା ଦେଇଥିଲା । ଥରେ ଜଣେ ନବବଧୂର କାନ୍ଦ ଶୁଣି ପାଠକ ତାଙ୍କ ଘରକୁ ଯାଇଥିଲେ ଏବଂ କାନ୍ଦିବାର କାରଣ ପଚାରିବାରୁ ତାଙ୍କ ଶାଶୁ କହିଥିଲେ ଯେ, ବୋହୂକୁ ଉଠା ପାଇଖାନାରୁ ମଇଳା କାଢିବାକୁ ଯିବାକୁ କହୁଛନ୍ତି ହେଲେ ସେ ଯିବାକୁ ନାରାଜ । ଏହି କାମ କରିବା ବ୍ୟତୀତ ତାଙ୍କ ପାଖରେ ଆଉ କ’ଣ ବା କାମ ଅଛି । ଆଉ କିଛି କାମ କଲେ ଲୋକେ ତାକୁ ଗ୍ରହଣ କରିବେ ନାହିଁ । ଏହାହିଁ ତାଙ୍କ ଭାଗ୍ୟ ବୋଲି ଶାଶୁ କହିବା ପରେ ପାଠକଙ୍କ ମନ ଏତେ କଷ୍ଟ ହୋଇଥିଲା ଯେ ସେ ସହର, ବସ୍ତି ମାନଙ୍କରେ ସ୍ଥାୟୀ ପାଇଖାନା କରିବାକୁ ଅଭିଯାନ ଆରମ୍ଭ କଲେ ।

୧୯୭୦ରେ ସୁଲଭ ଇଣ୍ଟରନ୍ୟାସନାଲ ସଂସ୍ଥାର ପ୍ରତିଷ୍ଠ କରି ବିଭିନ୍ନ ସ୍ଥରନରେ ଲୋକଙ୍କୁ ସ୍ଥାୟୀ ପାଇଖାନା ଯୋଗାଇଦେବାକୁ ଆରମ୍ଭ କଲେ । ଫଳରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠିର ଲୋକଙ୍କୁ ଆଉ ମଇଳା ଉଠାଇବା କାମ କରିବାକୁ ପଡିଲା ନାହିଁ ।