ଆମେ ଓଡିଆ, ଆମ ଜାତି ଓଡିଆ, ଆମ ମାଟି ଓଡିଶା । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ପୂରିଲା ୮୬ ବର୍ଷ । 

ଆଜି ଉତ୍କଳ ଦିବସ

445

କନକ ବ୍ୟୁରୋ:  ଓଡିଶା….ଆମ ରାଜ୍ୟ, ଆମ ମାଟି, ଆମ ଗର୍ବ ଆଉ ଗୌରବ । ଯେବେ ଯେବେ, କ୍ୟାଲେଣ୍ଡରରେ ଏଇ ଏପ୍ରିଲ ୧ ଚାଲିଆସେ । ସେତେବେଳେ କାଇଁ କେଜାଣି ନିଜକୁ ଓଡିଆ ଆଉ ଆମ ଆମ ଜନ୍ମମାଟି ଓଡିଶାକୁ ନେଇ ଆହୁରି ଅଧିକ ଗର୍ବ କରିବାକୁ ଇଚ୍ଛା ହୁଏ । କାହିଁକି ନା, ଆଜିର ଦିନରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇ ଜନ୍ମ ନେଇଥିଲା ଆମ ଉତ୍କଳ ପ୍ରଦେଶ ।

ମାଲକାନଗିରିରୁ ମୟୂରଭଞ୍ଜ, କେନ୍ଦ୍ରାପଡାରୁ ନୂଆପଡା । ଆଜି ଯାହାର ଶରୀର ମାତ୍ର ୩୦ ଜିଲ୍ଲା ଭିତରେ ଆବଦ୍ଧ ଅଛି । ଦିନେ ସେ ଗଙ୍ଗାଠୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ଆଉ ୧୯୩୬ ମସିହାରେ ଯେତେବେଳେ ସେ ନୂଆ ପରିଚୟ ପାଇଥିଲା । ସେତେବେଳେ ଭାଷା ଭିତ୍ତିରେ ଭାରତରେ ଗଠନ ହୋଇଥିଲା ପ୍ରଥମ ରାଜ୍ୟ । ଯାହାର ନାଁ ଥିଲା ଓଡିଶା ।

କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଆଉ ଗଞ୍ଜାମ । ମାତ୍ର ଏହି ୬ଟି ଜିଲ୍ଲାକୁ ନେଇ ସେତେବେଳେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ । ଆଉ ଏହି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଦିଗରେ ମୁଖ୍ୟ ବିନ୍ଧାଣୀ ସାଜିଥିଲେ ଏ ମାଟିର ପୁଅମାନେ । ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସଙ୍କ ଭଳି ଓଡିଆ ପୁଅଙ୍କ ପାଇଁ ବ୍ରିଟିଶ ଶାସନାଧୀନ ରାଇଜରେ ତେଜିଥିଲା ଆନ୍ଦୋଳନ ତେଜିଥିଲା । ଆଉ ଶେଷରେ ସବୁ ଘାତ ଆଉ ପ୍ରତିଘାତକୁ ପାର୍ କରି ଏପ୍ରିଲ ୧, ୧୯୩୬ ମସିହାରେ ଗଠନ ହୋଇଥିଲା ଆମ ସମସ୍ତଙ୍କର ଓଡିଶା ରାଜ୍ୟ । ଯାହାକୁ ଆଜି ଆମେ ଉତ୍କଳ ଦିବସ ଭାବେ ପାଳନ କରୁଛେ ।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ଆଜି ପୂରିଛି ୮୬ ବର୍ଷ । ଅର୍ଥାତ ୧୯୩୬ରୁ ୨୦୨୨ ଭିତରେ ସ୍ୱତନ୍ତ୍ର ଓଡିଶା ଦେଖିଛି ୮୬ ବର୍ଷର ଦୀର୍ଘ ଯାତ୍ରା ।  ହେଲେ ଏ ମାଟିର ଇତିହାସ କହିଲେ, ବୋଧହୁଏ ସମୟର ବି ଅଭାବ ପଡିବ । ମହାଭାରତ କାଳରୁ ଆରମ୍ଭ କରି କଳିଙ୍ଗ ଯୁଦ୍ଧ, ଖାରବେଳଙ୍କ ଶାସନରୁ ଆରମ୍ଭ କରି ମୋଗଲ ଆଉ ଇଂରେଜମାନଙ୍କର ଶାସନ ଦେଖଛି ଆମ ଓଡିଶା ।କୁହାଯାଏ, ପୌରଣିକ ତଥ୍ୟ ଅନୁସାରେ, କଳିଙ୍ଗ କୌରବଙ୍କ ପଟରୁ ଯୁଦ୍ଧ ଲଢିଥିଲା । ସେହିପରି ଖ୍ରୀଷ୍ଟପୂର୍ବ ୨୬୧ରେ ଭୟଙ୍କର କଳିଙ୍ଗ ଯୁଦ୍ଧ ଏଇ ମାଟିରେ ହିଁ ରକ୍ତର ନଦୀ ବୁହାଇଥିଲା । ଯାହାକି ଚଣ୍ଡାଶୋକକୁ ଧର୍ମାଶୋକରେ ବଦଳେଇ, ଲେଖିଥିଲା ନୂଆ ଉତ୍କଳର ନୂଆ ଏକ ଇତିହାସ । ଆଉ ତା ପରେ ପରେ ଗଙ୍ଗବଂଶ, ଚେଦିବଂଶ, ସୋମବଂଶର ରାଜାମାନେ ଓଡିଶାକୁ ବହୁବର୍ଷ ଧରି ଶାସନ କରିଥିଲେ ।

ଆମ ଇତିହାସ ଭଳି ଆମ ସଂସ୍କୃତି, ଐତିହ୍ୟ, ପରମ୍ପରା ବି ବେସ୍ ପୁରୁଣା । ସେଇଥିପାଇଁ ତ, କାଇଁ କେଉଁ କାଳୁ ଲେଖା ହେଇଥିବା ଇତିହାସରେ ଆମ ରଥଯାତ୍ରା କଥା ବର୍ଣ୍ଣନା ଅଛି । ଯେଉଁଥିରେ କାଳିଆ ଠାକୁର ଭାଇ, ଭଉଣୀଙ୍କୁ ଧରି ନବଦିନ ଯାତ୍ରାରେ ବାହାରିପଡନ୍ତି । ତେବେ ଖାଲି ସେତିକି ନୁହେଁ । ଆମ ଯାତ୍ରା ଭଳି ଆମ ନାଚ, ଗୀତ ବି ବହୁତ ପୁରୁଣା । ଖାରବେଳଙ୍କ ସମୟରେ ଖୋଦିତ ହୋଇଥିବା ରାଣୀଗୁମ୍ଫାରେ ଆମ ଓଡିଶୀ ନୃତ୍ୟର ଝଲକ ଦେଖିବାକୁ ମିଳେ । ଯାହା ଆମର ଓଡିଶୀ ନୃତ୍ୟର ଇତିହାସ ବର୍ଣ୍ଣନା କରିଥାଏ ।

ବାର ମାସରେ ତେର ପର୍ବ ବୋଲି ଆମ ଓଡିଆରେ ପ୍ରବାଦ ଅଛି । ରଥଯାତ୍ରା ହେଉ ରଜ  । ପଣା ସଂକ୍ରାନ୍ତି ହେଉ କି ମାଣବସା ଗୁରୁବାର । ପ୍ରତିଟି ଓଡିଆ ବେଶ ଯାକ ଜମକରେ ୧୨ ମାସରେ ତେର ପରବ ପାଳିଥାନ୍ତି । ଆଉ ପ୍ରତି ପର୍ବରେ ନାଚି ଗାଈ, ଜ୍ଞାତି କୁଟୁମ୍ବଙ୍କ ସହ ସମୟ କାଟିଥାନ୍ତି ।  ତେବେ ଓଡିଶାର ପରମ୍ପରା, ସଂସ୍କୃତି ଆଉ ଇତିହାସ କଥା କହିଲେ, ରାତି ପାହିଯିବ, ଦିନ ସରିଯିବ । କାଗଜର ରାଶି ରାଶି ଫର୍ଦ୍ଦ ପୂରଣ ହେଇଯିବ । ତଥାପି, ଓଡିଶାର ଗାଥା ଗୌରବ, ଗାରିମାର ଅବଣ୍ଣନୀୟ କାହାଣୀ, ଶେଷ ହେଉନଥିବ । ଆଉ ଆମେ କହି ଚାଲୁଥିବା, ଆମେ ଓଡିଆ, ଆମ ଜାତି ଓଡିଆ, ଆମ ଭାଷା ବଢିଆ । ବନ୍ଦେ ଉତ୍କଳ ଜନନୀ ।