ଆଜିଠୁ ବଢିବ ପକେଟ୍ ଖର୍ଚ୍ଚ । ଥଣ୍ଡା, ଜ୍ୱର ଭଳି ଜରୁରୀ ଔଷଧର ବଢିବ ଦାମ

1,221

କନକ ବ୍ୟୁରୋ : ପ୍ରତ୍ୟେକ ମାସର ପ୍ରଥମ ଦିନରେ କିଛି ନା କିଛି ଛୋଟମୋଟ ପରିବର୍ତ୍ତନ ଦେଖାଯାଉଛି । ଆର୍ଥିକ ମାସ ମାର୍ଚ୍ଚରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିବା ବେଳେ ଏପ୍ରିଲ ମାସ ବା ଆଜିଠାରୁ ଅନେକ କିଛି ପରିବର୍ତ୍ତନ ହୋଇଛି । ମାସ ଆରମ୍ଭରୁ ପିଏଫ୍ ଆକାଉଣ୍ଟଠାରୁ ନେଇ ଜିଏସଟି ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ପରିବର୍ତ୍ତନ ହୋଇଛି । କଣ ମହାଙ୍ଗା ହୋଇଛି ଏବଂ କଣ ଶସ୍ତା ହୋଇଛି ।
ପିଏଫକୁ ୨.୫ ଲକ୍ଷକୁ ଅଧିକ ଯୋଗଦାନ ଟିକସଯୋଗ୍ୟ
ନୂଆ ମାସରୁ ସବୁଠୁ ବଡ ପରିବର୍ତ୍ତନ ହେଉଛି, ପିଏଫ୍ ଆକାଉଣ୍ଟରେ ଅଧିକ ଯୋଗଦାନ କ୍ଷେତ୍ରରେ ସରକାର ସୀମା ଧାର୍ଯ୍ୟ କରିଛନ୍ତି । କେନ୍ଦ୍ରୀୟ ପ୍ରତ୍ୟେକ୍ଷ ଟିକସ ବୋର୍ଡ ଆୟକର ନିୟମ ୨୦୨୧ ଅନୁଯାୟୀ, ଇପିଏଫ୍ ଖାତାରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସମୁକ୍ତ ଅର୍ଥ ଯୋଗଦାନ କ୍ଷେତ୍ରରେ ସୀମା ଲାଗୁ କରାଯାଇଛି । ଅଧିକ ଅର୍ଥ ଯୋଗଦାନ କ୍ଷେତ୍ରରେ ହେଉଥିବା ଆୟ ଉପରେ ସଦସ୍ୟ ଟିକସ ଦେବେ । ଏଥିସହିତ ସରକାରୀ କର୍ମଚାରୀଙ୍କ ଜିପିଏଫକୁ ଟିକସମୁକ୍ତ ଅର୍ଥ ଯୋଗଦାନର ସୀମା ବାର୍ଷିକ ୫ଲକ୍ଷ ଟଙ୍କା ରଖାଯାଇଛି ।
କ୍ରିପ୍ଟୋରୁ ଆୟ ଉପରେ ଲାଗଲା ଟିକସ
ଆଜିଠାରୁ ଏକ ପ୍ରମୁଖ ପରିବର୍ତ୍ତନ ହୋଇଛି, କ୍ରିପ୍ଟୋକରେନ୍ସି ଉପରେ ଟିକସ ଲାଗୁ ବ୍ୟବସ୍ଥା ହୋଇଛି । ୨୦୨୨-୨୩ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ଭର୍ଚୁଆଲ ଡିଜିଟାଲ ସମ୍ପତ୍ତି କିମ୍ବା କ୍ରିପ୍ଟୋ କରେନ୍ସି ଉପରେ ୩୦ ପ୍ରତିଶତ ଟିକସ ଘୋଷଣା କରିଛନ୍ତି । ଏହା ଅଧିନରେ ଯଦି ନିବେଶକ କ୍ରିପ୍ଟୋ ସମ୍ପତ୍ତି ବିକ୍ରୟ କରିବାରେ କିଛି ଲାଭ କରନ୍ତି ତେବେ ତାଙ୍କୁ ସରକାରଙ୍କୁ ଟିକସ ଦେବାକୁ ପଡିବ ।
ଡାକଘର ଆୟ
ଡାକ ଘର ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଜମା କିମ୍ବା ଡାକଘର ଅବଧି ଜମା ଯୋଜନାରେ ବିନିଯୋଗ ସହିତ ଜଡିତ ନିୟମ ବଦଳିବାକୁ ଯାଉଛି । ଏହି ଯୋଜନାଗୁଡିକରେ ସୁଧ ପରିମାଣ ଏପ୍ରିଲ ପହିଲାରୁ ନଗଦ ଆକାରରେ ଉପଲବ୍ଧ ହେବ ନାହିଁ । ଏଥିପାଇଁ ଆପଣଙ୍କୁ ସଞ୍ଚୟ ଖାତା ଖୋଲିବାକୁ ପଡିବ ।
ଔଷଧ ମହଙ୍ଗା
ସାଧାରଣ ଲୋକଙ୍କ ପାଇଁ ଚିନ୍ତା ବଢାଇଲା ଔଷଧର ମୂଲ୍ୟ ବୃଦ୍ଧି । ମୁଦ୍ରାସ୍ପୀତିର ପ୍ରଭାବରେ ୮ଶହ ଜରୁରୀ ଔଷଧ ମୂଲ୍ୟ ୧୦.୭ ପ୍ରତିଶତ ବୃଦ୍ଧି ହୋଇଛି । ଏଥିରେ ଜର, ସଂକ୍ରମଣ, ଚକ୍ତଚାପ, ହୃଦରୋଗ ଭଳି ରୋଗରେ ଉପଯୋଗ ହେଉଥିବା ଔଷଧର ମୂଲ୍ୟ ବଢିଛି ।
ସରଳ ହେବ ଇ-ଚାଲାଣ ନିୟମ
ସିବିଆଇସି ଦ୍ରବ୍ୟ ଏବଂ ଜିଏସଟି ଅଧିନରେ ଇ-ଚାଲାଣ ପ୍ରଦାନର କାରବାର ସୀମାକୁ ୫୦ କୋଟି ଟଙ୍କାରୁ ୨୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି ।
ଆକ୍ସିସ୍ ବ୍ୟାଙ୍କ ନିୟମରେ ବଡ ପରିବର୍ତ୍ତନ
ଯେଉଁ ଗ୍ରାହକଙ୍କ ପାଇଁ ଆକ୍ସିସ୍ ବ୍ୟାଙ୍କରେ ଦରମା କିମ୍ବା ସଞ୍ଚୟ ଖାତା ଅଛି ସେମାନଙ୍କ ପାଇଁ ବଡ ଖବର । ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ସୀମାକୁ ୧୦ହଜାରରୁ ୧୨ହଜାର ଟଙ୍କାକୁ ବୃଦ୍ଧି କରିଛି ।
ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି
ପ୍ରତ୍ୟେକ ମାସ ପରି ଚଳିତ ମାସରେ ପୁଣି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି । ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢିଚାଲିଛି । ସେହିଭଳି ଭାବରେ ଗ୍ୟାସ୍ ଦର ପୁଣି ବଢିପାରେ ବୋଲି ସୂଚନାରୁ ଜଣାପଡିଛି । ନିକଟରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ହୋଇଥିଲା, ଯାହା ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଥିଲା