ଆଜି ଉପ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ ବିଜେପି ! ଦଳୀୟ ସଂସଦୀୟ ବୋର୍ଡ ବୈଠକରେ ହେବ ନିଷ୍ପତ୍ତି

203

କନକ ବ୍ୟୁରୋ : ଏବେ ସାରା ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଚଳାଇଛନ୍ତି ଉଭୟ ଏନଡିଏ ଓ ବିରୋଧୀ ମେଣ୍ଟ । ହେଲେ ଏହା ପରେ ଦେଶରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ ହେବ । ହେଲେ ଏପର୍ଯ୍ୟନ୍ତ ନା ଏନଡିଏ ନା ବିରୋଧୀ କେହି ବି ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହାଁନ୍ତି । ଏହି କ୍ରମରେ ଆଜି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବିଜେପି ପକ୍ଷରୁ ଏକ ସଂସଦୀୟ ବୋର୍ଡ ବୈଠକ ଡକାଯାଇଛି । ଏହା ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ପ୍ରାର୍ଥୀ ଭଳି ଉପ ରାଷ୍ଟ୍ରପତି ପ୍ରାର୍ଥୀ ତାଲିକାରେ ଏବେ ଅନେକଙ୍କ ନାମ ଚର୍ଚ୍ଚାରେ ରହିଛି । ଆଜି ଏହି ସଂସଦୀୟ ବୋର୍ଡ ବୈଠକରେ ସେହିସବୁ ନାମ ଉପରେ ବିଚାର କରାଯିବ ବୋଲି କୁହାଯାଉଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେବେ । ବୈଠକରେ ବିଚାର ବିମର୍ଷ କରାଯାଇ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମରେ ଆଜି ମୋହର ଲାଗିପାରେ ।

କହିରଖୁ କି ରାଷ୍ଟ୍ରପତି ନିର୍ବାଚନ ଠାରୁ ଉପ ରାଷ୍ଟ୍ରପତି ନିର୍ବାଚନର ତରିକା ସମ୍ପୂର୍ଣ୍ଣ ଅଲଗା । କାରଣ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଦେଶର ସମସ୍ତ ବିଧାୟକ ଓ ସାଂସଦମାନେ ଭୋଟ ଦେଉଥିବା ବେଳେ ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ କେବଳ ରାଜ୍ୟସଭା ଓ ଲୋକସଭାର ସାଂସଦମାନେ ଭୋଟ ଦେଇଥାନ୍ତି ।