ବିଷାକ୍ତ ମଦ ନେଇଛି କେତେ ଜୀବନ? ବିଧାନସଭାରେ ବର୍ଷ ୱାରୀ ହିସାବ ଦେଲେ ମନ୍ତ୍ରୀ ।

78

କନକ ବ୍ୟୁରୋ : ବିଷାକ୍ତ ମଦ ପିଇ ଯାଇଛି କେତେ ଜୀବନ? ୨୦୧୦ରୁ ୨୦୨୨ ମଧ୍ୟରେ ବିଷାକ୍ତ ଦେଶୀ ଓ ବିଦେଶୀ ମଦ ପିଇ କେତେ ଜଣ ମୃତ୍ୟୁବରଣ କରିଛନ୍ତି । ଖାସକରି ବିଷାକ୍ତ ଦେଶୀ ଓ ବିଦେଶୀ ମଦ ବିକୁଥିବା ମଦ ଭାଟି ଉପରେ ସରକାର କି ପଦକ୍ଷେପ ନେଇଛନ୍ତି, ସେ ବାବଦରେ ଜାଣିବାକୁ ଚାହିଁଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା । ଆଉ ଏହାର ଲିଖିତ ଉତ୍ତରରେ ପୂରା ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ।

ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ବର୍ଷୱାରୀ ରିପୋର୍ଟ ଦେବା ସହ କହିଛନ୍ତି, ଏହି ଅବଧିରେ ରାଜ୍ୟରେ ବିଷାକ୍ତ ମଦ ନେଇଛି ୫୦ ଜୀବନ । ଏହାସହ ଭଦ୍ରକ ମଦ ମୃତ୍ୟୁକୁ ସ୍ୱୀକାର କରିଛନ୍ତି ସରକାର । ନିର୍ବାଚନ ବେଳେ ବିଷାକ୍ତ ମଦ ପିଇ ଭଦ୍ରକ ଜିଲ୍ଲାର ୯ ଜଣ ପ୍ରାଣ ହରାଇଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । ସେହିଭଳି ୨୦୧୧-୧୨ରେ କଟକ ମଦ ମୃତ୍ୟୁରେ ୪୧ ଜଣ ପ୍ରାଣ ହରାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଏହାବାଦ୍ ମନ୍ତ୍ରୀ କହିଛନ୍ତି, ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଗୁଡିକରେ କେବଳ ସରକାରଙ୍କ ଦ୍ୱାରା ଅନୁମୋଦିତ ଓ ପରୀକ୍ଷିତ ମଦ ବିକ୍ରି କରିବା ପାଇଁ ଲାଇସେନ୍ସ ଦିଆଯାଇଥାଏ । ଯଦି କୌଣସି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ବିଷାକ୍ତ ମଦ ତିଆରି/ବିକ୍ରି କରୁଥିବା ଧରାପଡେ ଓ ରାସାୟନିକ ପରୀକ୍ଷଣ ପରେ ଯଦି ବିଷାକ୍ତ ଦ୍ରବ୍ୟର ଉପସ୍ଥିତି ଓ ଉପାଦାନ ସମ୍ପର୍କରେ ପ୍ରମାଣ ହସ୍ତଗତ ହୁଏ ତେବେ ୧୦ ଲକ୍ଷ ଟଙ୍କାର ଜରିମାନା ସହ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିଛି ।