ବୁଲୁଛି ମହାବଳ ବାଘ : କ୍ୟାମେରାରେ କଏଦ ହେଲା ଫଟୋ, ସୂଚନା ଦେଉନି ସ୍ଥାନୀୟ ବନବିଭାଗ; ବାଡ ଦେଇ ଲୋକଙ୍କୁ ଯିବାକୁ କରାଯାଉଛି ବାରଣ

267

କନକ ବ୍ୟୁରୋ : କେନ୍ଦୁଝର ବନଖଣ୍ଡରେ ବୁଲୁଛି ମହାବଳ ବାଘ । ପାଟଣା ରେଞ୍ଜରେ ବୁଲୁଛି ବାଘ । କ୍ୟାମେରାରେ କଏଦ ହେଲା ବାଘର ଫଟୋ । କନକ ନ୍ୟୁଜ ହାତରେ ମହାବଳ ବାଘର ଫଟୋ ଲାଗିଛି । ଏହି ବାଘ ଏବେ ପାଟଣା ରେଞ୍ଜରେ ଆତଙ୍କ ଖେଳାଇଛି । ହେଲେ ଏ ବିଷୟରେ ନା ବନବିଭାଗ ପାଖରେ ଅଛି ଖବର, ତା ସେ ତତ୍ପରତା ଦେଖାଉଛି ।

କେବଳ ସେତିକି ନୁହେଁ ବାଘକୁ ନେଇ ଲୋକଙ୍କୁ ସୂଚନା ଦିଆଯାଉ ନାହିଁ । ହେଲେ ଅଟେଇ ଜଙ୍ଗଲରେ ଥିବା ପ୍ରାୟ ୩୫ କିଲୋମିଟର ଜଙ୍ଗଲିଆ ରାସ୍ତାକୁ ବାଡ ଦେଇ ବନ୍ଦ କରିଦିଆଯାଇଛି । ଏଭଳି କାର୍ଯ୍ୟକଳାପ ବନବିଭାଗର କାର୍ଯ୍ୟଶୈଳୀ ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁସାରେ ଗତ ୨ ତାରିଖରେ କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ରୋହିଣୀଡୁମା ଗାଁରେ ଅନନ୍ତ ମାଝୀ ହାଟରୁ ଫେରୁଥିବାବେଳେ ବାଘ ଆକ୍ରମଣରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା ।

ମୃତଦେହର ପାରିପାର୍ଶ୍ୱିକ ଅବସ୍ଥାରୁ ବାଘ ଆକ୍ରମଣ ବୋଲି ସ୍ପଷ୍ଟ ହୋଇଥିଲା । ଏହି ଘଟଣାର ୩ ଦିନ ପରେ ଏକ ବାର୍ହାକୁ ମଧ୍ୟ ବାଘ ଖାଇ ଅଧାଖଣ୍ଡିଆ କରି ଛାଡି ଯାଇଥିଲା । ଆହୁରି ମଧ୍ୟ ଅନେକ ଗୃହପାଳିତ ପଶୁ ଚରିବାକୁ ଜଙ୍ଗଲ ଯାଇଥିବାବେଳେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ମହାବଳ ଉପସ୍ଥିତି ଯୋଗୁଁ ଖଣି କାରବାର ପ୍ରଭାବିତ ହେଉଥିବାରୁ ଖଣି ମାଫିଆମାନେ ବାଘକୁ ମାରିଦେବାକୁ ଉଦ୍ୟମ ଆରମ୍ଭ କରିଥିବା ସୂଚନା ମିଳିଛି ।