ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ । ପ୍ରଥମ ୩ଟି ଦସ୍ତଖତରେ କାହାକୁ ମିଳିବ ଲାଭ, ପାଣ୍ଡିଆନ କହିଲେ… ।

2,153

କନକ ବ୍ୟୁରୋ : ଟିଟିଲାଗଡରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ଏ ଅଞ୍ଚଳର ପ୍ରଗତି ଓ ଉନ୍ନତି ପାଇଁ ବିଜେଡି ପ୍ରାର୍ଥୀଙ୍କୁ ପୁଣିଥରେ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।

ଏହାସହ ବିରୋଧୀ ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ବାହାରୁ ଏବେ ବହୁତ ଲୋକ ଆସି ବଡ ବଡ କଥା କହୁଛନ୍ତି । ଛତିଶଗଡରୁ ମନ୍ତ୍ରୀ ଆସି ଟଙ୍କା ବାଣ୍ଟୁଛନ୍ତି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି । ପୂର୍ବରୁ ବିଜେପୁର ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚପଲ ମାଡ କରିବାକୁ ଉଦ୍ୟମ କରିଥିଲେ ସେତେବେଳେ ୪୫ ହଜାରରୁ ଅଧିକ ଭୋଟରେ ହାରିଥିଲା ବିଜେପି । ପରେ ପୁରୀ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସରୁ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରିଥିଲେ, ପରେ ୩୦ରୁ ୩୦ ଜିଲ୍ଲା ପରିଷଦ ଆସନରେ ହାରିଲା ବିଜେପି ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ଆଶୀର୍ବାଦରେ ଆସନ୍ତା ଜୁନ୍ ୯ ତାରିଖରେ ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ । ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ କରାଯିବ । ଓଡ଼ିଶାର ୯୦% ପରିବାର ମାଗଣା ବିଜୁଳି ପାଇବେ । ବିଜେପି କହୁଛି ଓଡ଼ିଶାବାସୀଙ୍କୁ ମାଗଣା ବିଜୁଳି ଦେବ । ସୋଲାର ପ୍ୟାନେଲ ବସାଇ ସୂର୍ଯ୍ୟ କିରଣରୁ ମାଗଣା ବିଜୁଳି ଦେବାକୁ କହୁଛନ୍ତି ।ଏଭଳି କହି ବିଜେପି ଦିନରେ ଲଣ୍ଠନ ଦେଖାଉଛି ବୋଲି କହି ପାଣ୍ଡିଆନ କଟାକ୍ଷ କରିଛନ୍ତି । ଦୁଇ ନମ୍ବର ଦସ୍ତଖତରେ ବିଏସକେୱାଇ କାର୍ଡ ଯେଉଁମାନେ ପାଇନାହାନ୍ତି ସେମାନଙ୍କୁ ମିଳିବ । ମିଶନ ଶକ୍ତି ମା’ଙ୍କୁ ୬୦ ବର୍ଷ ପରେ ପେନସନ ଦେବା ପାଇଁ ତୃତୀୟ ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।