ଖଲ୍ଲିକୋଟରେ ନିର୍ବାଚନୀ ହିଂସା । ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ ପୋଲିସ ନେବ କଡା କାର୍ଯ୍ୟାନୁଷ୍ଠାନ ।

290

କନକ ବ୍ୟୁରୋ : ଖଲ୍ଲିକୋଟରେ ପ୍ରାକ ନିର୍ବାଚନ ହିଂସାକୁ ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ନବୀନ କହିଛନ୍ତି, ଗଣତନ୍ତ୍ରରେ ଏଭଳି ହିଂସାର ସ୍ଥାନ ନାହିଁ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଘଟଣାରେ ଜଡିତ ଥିବା ବ୍ୟକ୍ତିଙ୍କ ଉପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । ଗତକାଲି ରାତିରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଣାକଟା ହେବାରୁ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଖଲ୍ଲିକୋଟ ପ୍ରାକ୍ ହିଂସାକାଣ୍ଡ ଘଟଣାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଉଦବେଗ ପ୍ରକାଶ କରିବା ସହ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟରେ ଅବହେଳା ପାଇଁ ୪ ପୋଲିସ କର୍ମଚାରୀଙ୍କୁ ବଦଳି କରିଛନ୍ତି ଏସପି ।