ଖଲ୍ଲିକୋଟରେ ନିର୍ବାଚନୀ ହିଂସାରେ ଜଣେ ମୃତ । ସିଇଓ କହିଲେ, ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ, ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ।

561

କନକ ବ୍ୟୁରୋ : ଖଲ୍ଲିକୋଟରେ ପ୍ରାକ ନିର୍ବାଚନ ହିଂସାକୁ ନେଇ ଉଦବେଗ ପ୍ରକାଶ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନ ସମୟରେ ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଗଞ୍ଜାମରେ ନିର୍ବାଚନୀ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ ।

ଗତକାଲି ରାତିରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଣାକଟା ହେବାରୁ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ବିଜେପି କର୍ମୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ରାତିରେ ବିଜେପି କର୍ମୀମାନେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କ ଘର ଆଗରେ ଭଙ୍ଗାରୁଜା କରିଥିଲେ । ଏହାପରେ ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି । ଏନେଇ ବିଜେପି ପକ୍ଷରୁ ଥାନା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ତେବେ ସେ ନଶୁଣିବାରୁ ଗଂଜାମ ଏସପିଙ୍କୁ ଭିଡିଓ କଲ କରି ଅଭିଯୋଗ କରିଥିବା ସୂଚନା ମିଳିଛି ।