ଭୀଷଣ ଗ୍ରୀଷ୍ମ ପ୍ରବାହର ଯନ୍ତ୍ରଣା ଭିତରେ କିଛିଟା ଆଶ୍ୱସ୍ତି । କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଛେଚିଲା ବର୍ଷା । ସେପଟେ କୁଆପଥର ମାଡ଼ରେ ବିମାନ କ୍ଷତିଗସ୍ତ

183

କନକ ବ୍ୟୁରୋ: ସକାଳୁ ଅସମ୍ଭାଳ ତାତି ଥିଲା କିନ୍ତୁ ଅପରାହ୍ନ ହେଲା ବେଳକୁ ବଦଳିଗଲା ପାଗ । କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ସାଙ୍ଗକୁ ପବନ ମାଡ଼ ହେଲା । ଯାହା, ଖରା ଓ ତାତିରେ ସନ୍ତୁଳି ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ଏହାରି ଭିତରେ ଭୁବନେଶ୍ୱରରୁ ଦିଲ୍ଲୀ ପାଇଁ ଉଡ଼ାଣ ଭରିଥିବା ବିମାନରେ ସାମ୍ନା ଭାଗରେ କୁଆପଥର ମାଡ଼ ହୋଇଥିଲା । ଫଳରେ ବିମାନକୁ ଅଗ୍ରାଧିକାର ଭିତ୍ତିରେ ଅବତରଣ କରିବାକୁ ପଡ଼ିଥିଲା ।

  • ବିମାନ ଉପରେ କୁଆପଥର ମାଡ଼
  • ଭୁବନେଶ୍ୱରରେ ଅବତରଣ କଲା ବିମାନ

କୁଆପଥର ମାଡ଼ରେ ଚେପା ହୋଇଯାଇଛି ବିମାନର ଆଗ ପାଶ୍ୱର୍ । ପ୍ରାୟ ୧୭୦ ଯାତ୍ରୀକୁ ନେଇ ଦିଲ୍ଲୀ ଅଭିମୁଖେ ଯାଉଥିଲା ଭିିସ୍ତାରା ବିମାନ । ଏହି ସମୟରେ ବିପଦ ହୋଇ ଯେମିତି ମାଡ଼ି ଆସିଥିଲା କାଳବୈଶାଖୀ । ଏଭଳି ସ୍ଥିତିରେ ପାଇଲଟ୍ ବିମାନକୁ ଆଗକୁ ନେବା ପରିବେର୍ତ୍ତ ସୁରକ୍ଷା ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ବିମାନଟି ଅବତରଣ କରିଥିଲେ । ବିମାନଟି ଅପରାହ୍ନ ୧ଟା ୪୫ ମିନିଟରେ ଟେକଅପ୍ କରିଥିଲା । ହେଲେ ଉଡ଼ାଣର କିଛି ସମୟରେ ମଝି ଆକାଶରେ ତାଣ୍ଡବ ରଚିଥିଲା କାଳବୈଶାଖୀ । ବର୍ଷା, ପବନ ଓ କୁଆପଥର ମାଡ଼ ହେବା ଯୋଗୁଁ ବିମାନ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ।

ଅପରାହ୍ନରେ ବଦଳିଗଲା ପାଗ । ହଠାତ୍ ଆକାଶରେ ମାଡିଆସିଲା ମେଘ । କାଳବୈଶାଖୀ ପ୍ରଭାବ ସାଙ୍ଗକୁ କୁଆପଥର ଓ ବର୍ଷା-ପବନ ମାଡ଼ । ଖରା ଓ ତାତିରେ ସନ୍ତୁଳି ହେଉଥିବା ଲୋକେ ବର୍ଷା ଯୋଗୁଁ ସାମାନ୍ୟ ଅଶ୍ୱସ୍ତି ଲାଭ କରିଛନ୍ତି । ତେବେ ଆଠଗଡ଼ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଶ୍ରମିକମାନଙ୍କ ସଭା ବେଳେ ବର୍ଷା ପବନ ହେବାରୁ ଟେଣ୍ଟ ଭାଙ୍ଗି ଯାଇଛି । ଆଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଠଗଡ଼ ବିଜେଡି ବିଧାନସଭା ପ୍ରାର୍ଥୀ ରାଜା ସ୍ୱାଇଁ । ଟେଣ୍ଟ ତଳେ ରାଜା ସ୍ୱାଇଁ ଭାଷଣ ଦେଉଥିବା ବେଳେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଥିଲା । ଆଉ ଟେଣ୍ଟ ଭୁଷୁଡ଼ିବାର ମାତ୍ର ୫ମିନିଟ ପୂର୍ବରୁ ସଭାରୁ ଚାଲିଯାଇଥିଲେ ରାଜା ସ୍ୱାଇଁ ।

ଏପଟେ କୁଆ ପଥର ବର୍ଷା ସାଙ୍ଗକୁ ପବନ ଘଡ଼ଘଡ଼ିରେ ବାଙ୍କୀରେ ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ରାସ୍ତାରେ ଗଛ ପଡ଼ିବାରୁ ବାଙ୍କୀରୁ ଖୋର୍ଦ୍ଧାରୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା । ବାଙ୍କୀ କଳାପଥର ରାସ୍ତାରେ ମଧ୍ୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ବର୍ଷା ଓ ପବନ ସହ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି ।

ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଭୁବନେଶ୍ୱର, କଟକ, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ ଢେଙ୍କାନାଳକୁ ସତର୍କତା ଜାରି କରିଥିଲା । ଏହାସହ ବିଜୁଳି ଓ ଘଡ଼ଘଡ଼ିରୁ ବର୍ତ୍ତିବା ପାଇଁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।