କାଳବୈଶାଖୀ ପ୍ରଭାବରେ ଏୟାରଷ୍ଟ୍ରିପ କାନ୍ଥ ଭୁଷୁଡିଲା । ଚାଲିଗଲା ୨ ଶ୍ରମିକଙ୍କ ଜୀବନ, ୩ ଆହତ

110

କନକ ବ୍ୟୁରୋ: ସେହିପରି କାଳବୈଶାଖୀ ପ୍ରଭାବରେ ମାଲକାନଗିରି ସହରରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିବା ଯୋଗୁଁ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି । ଏୟାରଷ୍ଟ୍ରିପ କାନ୍ଥ ଭୁଶୁଡି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ଏମଭି-୩ ଗ୍ରାମର ମନୋଜ ହେମ୍ବ୍ରମ୍ ଓ ତେନ୍ତୁଳିଗୁଡା ଗାଁର ମହିଳା ତିଳୋତମା ବେନିଆ ।

ନିର୍ମାଣାଧୀନ ଏୟାରଷ୍ଟ୍ରିପର ପାଚେରୀ କାନ୍ଥ ହଠାତ ଭୁଶୁଡି ପଡିବାରୁ ସେଠାରେ କାମ କରୁଥିବା ୫ ଜଣ ଶ୍ରମିକ ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଆହତଙ୍କ ଚିକିତ୍ସା ଚାଲିଛି । ସେପଟେ ତୁମୁଷାପାଲି ଗାଁରେ ଟିଣ ଛପର ଭୁଶୁଡି ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ଫାଇଭ-ଟି ବିଦ୍ୟାଳୟର ଟିଣ ଛାତ ଉଡ଼ିଯାଇଥିବା ବେଳେ କଂଗ୍ରେସ ଭବନ ମଧ୍ୟ ଛାରଖାର ହୋଇଯାଇଛି । ରାତି ତମାମ ମାଲକାନଗିରି ସହର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଥିଲା । ଏବେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହୋଇଛି ।