କେମିତି ଅଛି ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା? ହସ୍ପିଟାଲ ବୁଲିଲେ ତିନି କେନ୍ଦ୍ରମନ୍ତ୍ରୀ

357

କନକ ବ୍ୟୁରୋ: ବାହାନାଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ଚାଲିଛି । ଆହତଙ୍କ ଶୀଘ୍ର ସୁସ୍ଥ ହେବା ଏବେ ସମସ୍ତଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି । ଆହତଙ୍କୁ ଭୁବନେଶ୍ୱର ଏମ୍ସ, କଟକ ଏସସିବି ସମେତ ବାଲେଶ୍ୱର, ସୋର ଓ ଭଦ୍ରକରେ ଚିକିତ୍ସିତ କରାଯାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନନୁଖ ମାଣ୍ଡଭ୍ୟ ଆହତଙ୍କ ଅବସ୍ଥା ପଚାରି ବୁଝିଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ବି ବିଭିନ୍ନ ମେଡିକାଲ ବୁଲି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି ।

କରମଣ୍ଡଳ ଟ୍ରେନ ଦୁର୍ଘଟଣା ମୃତ୍ୟୁର ବିଭୀଷିକା ଖେଳାଇଥିବା ବେଳେ ଏବେ ଅନେକ ଗୁରୁତର ଭାବେ ଚିକିତ୍ସାଧୀନ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଯାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । କାହାର ମେରୁଦଣ୍ଡ ଗୁରୁତର ଭାବେ ଆଘାତ ଲାଗିଛି ତ ଆଉ କାହାର ମୁଣ୍ଡରେ, ଏହିଭଳି ଅନେକ ଏବେ ଗୁରୁତର ହୋଇ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

୨୬୦ ଜଣ ଗୁରୁତର ହୋଇ ଏମ୍ସ ସମେତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଭିନ୍ନ ହସ୍ପିଟାଲ ବୁଲି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରିଛନ୍ତି । ଆଶ୍ୱସ୍ତିକର କଥା ହେଲା ଏଥିମଧ୍ୟରୁ ଜଣଙ୍କ ଅବସ୍ଥା ଗମ୍ଭୀର ଥିବା ବେଳେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଟ୍ରେନ ଦୁର୍ଘଟଣା ପରେ ବର୍ତମାନର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଟି ଜୀବନ ବଞ୍ଚାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା କହିଛନ୍ତି ନବୀନ । ଏହାସହ ଆହତଙ୍କ ଚିକିତ୍ସା ପାଇଁ ଡାକ୍ତର, ଡାକ୍ତରୀ ଛାତ୍ର ଓ ଅନ୍ୟମାନେ ଲାଗିପଡିଛନ୍ତି ।

  • କେମିତି ଅଛି ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା?
  • ହସ୍ପିଟାଲ ବୁଲିଲେ ତିନି କେନ୍ଦ୍ରମନ୍ତ୍ରୀ

ସୋର ହସ୍ପିଟାଲ, ଭଦ୍ରକ ହସ୍ପିଟାଲ, ଏସସିବି ହସ୍ପିଟାଲ, ଏମ୍ସ ଭୁବନେଶ୍ୱର । ଦୁର୍ଘଟଣା ପରେ ଏବେ ଗୁରୁତର ହୋଇଥିବା ବ୍ୟକ୍ତି କିଭଳି ସୁସ୍ଥ ହେବେ ସେ ନେଇ ସମସ୍ତ ପ୍ରକାର ପ୍ରୟାସ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ହସ୍ପିଟାଲ ବୁଲି ଚିକିତ୍ସାଧୀନ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି ।

ଗୁରୁତର କିଭଳି ଶୀଘ୍ର ଆରୋଗ୍ୟ ହୋଇପାରିବେ ସେଥିପାଇଁ ଦିଲ୍ଲୀ ଏମ୍ସର ୧୭ ଜଣିଆ ବିଶେଷଜ୍ଞ ଟିମ୍ ଆସିଛନ୍ତି । ଯେଉଁଥିରେ ରାମମନୋହର ଲୋହିଆ, ଦିଲ୍ଲୀ ଏମ୍ସ ସମେତ ଲେଡିହାର୍ଡେଂ ହସ୍ପିଟାଲର ଅଭିଜ୍ଞ ଡାକ୍ତର ଆସିଛନ୍ତି । ଚିକିତ୍ସା ଓ ଅପରେସନ ପାଇଁ ଅତ୍ୟାଧୁନିକ ଉପକରଣ ଏବଂ ଔଷଧ ଅଣାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ସେପଟେ ପଶ୍ଚିମବଙ୍ଗର ବିଭିନ୍ନ ହସ୍ପିଟାଲରେ ୨୦୬ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟପଟେ ଚିକିତ୍ସିତ ହେଉଥିବା ଆହତଙ୍କୁ କେଉଁ ପ୍ରକାରର ଚିକିତ୍ସା ଆବଶ୍ୟକ ରହିଛି, କେଉଁ ବିଶେଷଜ୍ଞ ଡାକ୍ତର କେଉଁ ମେଡିକାଲ ଯିବେ ସେନେଇ ଏକ ପ୍ଲାନ ପ୍ରସ୍ତୁତ ହୋଇଛି ।