ମୃତ୍ୟୁ ସଂଖ୍ୟାରେ ସଂଶୋଧନ କଲେ ସରକାର । କହିଲେ, ୨୭୫ ଜଣଙ୍କ ଯାଇଛି ଜୀବନ

1,176

କନକ ବ୍ୟୁରୋ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏବେ ସୁଦ୍ଧା କେତେ ଲୋକଙ୍କର ମୃତ୍ୟୁ ହୋଇଛି? ଦୁର୍ଘଟଣାର ୨୪ଘଣ୍ଟା ପରେ ବି ସ୍ପଷ୍ଟ ଚିତ୍ର ଆସିପାରିନି । ମୃତ୍ୟୁ ସଂଖ୍ୟାକୁ ନେଇ ସନ୍ଦେହ ଲାଗି ରହିଛି । ରେଳବାଇ ପକ୍ଷରୁ ଗତକାଲି ଗୋଟିଏ ସୂଚନା ଦିଆଯାଇଥିବାବେଳେ ଆଜି ସେହି ତଥ୍ୟରେ ସଂଶୋଧନ କରାଯାଇଛି । ତେବେ ପ୍ରତ୍ୟକ୍ଷଦର୍ଶୀ ଭିନ୍ନ କଥା କହୁଛନ୍ତି ।

  • ମୃତ୍ୟୁ ସଂଖ୍ୟାରେ ସଂଶୋଧନ
  • ସରକାର କହିଲେ ୨୭୫ ଜଣଙ୍କ ଯାଇଛି ଜୀବନ

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ୪୮ଘଣ୍ଟା ପରେ ବି ମୃତ୍ୟୁ ସଂଖ୍ୟାକୁ ନେଇ ଆସି ପାରୁନି ସ୍ପଷ୍ଟ ଚିତ୍ର । ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟାକୁ ନେଇ ଗୋଟିଏ ସୂଚନା ଦିଆଯାଇଥିବାବେଳେ ଆଜି, ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଗୋଟିଏ ସୂଚନା ଦିଆଯାଇଛି । ଗତକାଲି ରେଳବାଇ ପକ୍ଷରୁ କୁହାଯାଇଥିଲା ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଏହି ସଂଖ୍ୟାରେ ସଂଶୋଧନ କରି ୨୭୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, କେତେକ ମୃତଦେହ ଦୁଇ ଥର ଗଣାଯାଇଥିଲା । କିନ୍ତୁ ଜିଲ୍ଲାପାଳଙ୍କ ଲିଖିତ ତଥ୍ୟ ଅନୁଯାୟୀ ଏବେ ସୁଦ୍ଧା ୨୭୫ ଜଣଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣାରେ କେତେ ଜଣଙ୍କ ଜୀବନ ଯାଇଛି, ସେ ନେଇ ଏବେ ବି ସନ୍ଦେହ ରହିଛି । ଯେଉଁମାନେ ଦୁର୍ଘଟଣା ପରେ, ନିଜ ଆଖିରେ ସେହି ଲୋମଟାଙ୍କୁରା ଦୃଶ୍ୟ ଦେଖିଛନ୍ତି । ଲୌହସ୍ତୁପ ତଳେ ଫସି ରହିଥିବା ରକ୍ତ ଜୁଡୁବୁଡୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ, ସେମାନଙ୍କ କହିବା ଅନୁସାରେ, ମୃତକଙ୍କ ସଂଖ୍ୟା ବହୁତ ଅଧିକ ହେବ । ଏଥିସହ ବଖାଣିଛନ୍ତି, କେମିତି ଥିଲା ସେହି କାଳ ରାତିର ଭୟଙ୍କର ଦୃଶ୍ୟ? କେମିତି ଶୁଭୁଥିଲା ଆର୍ତ ଚିିକ୍ରାର?

ମୃତ୍ୟୁ ସଂଖ୍ୟାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଦୁର୍ଘଟଣାରେ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ମମତା ଅଭିଯୋଗ କରିଛନ୍ତି । ଅନ୍ୟପଟେ ବାହାନଗାର ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ଟ୍ରେନ୍ ଟ୍ରାକର ମରାମତି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ସେହି ଟ୍ରାକ ଦେଇ ଦୁଇ ଦିନ ପରେ ଟ୍ରେନ୍ ପୁଣି ଥରେ ଚାଲିବ । ହେଲେ, ମାତ୍ର କେଇଁ ମିନିଟରେ ଯେମିତି ଧ୍ୱଂସଲୀଳା ରଚିଛି ସେଥିରେ ଅନେକ ପରିବାରକୁ ଉଜୁଡି ଯାଇଛି ।