ହିଂସା ପ୍ରଭାବିତ ମଣିପୁରରେ ଅସ୍ତବ୍ୟସ୍ତ ଜନଜୀବନ । ମିଳୁନି ଔଷଧ, ପେଟ୍ରୋଲ ଲିଟର ପ୍ରତି ୨୦୦ଟଙ୍କା ପାର, ଖାଲି ପଡିଛି ଏଟିଏମ୍

224

କନକ ବ୍ୟୁରୋ : ମଣିପୁରରେ ମେତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗିଥିବା ହିଂସା ଗୋଟଏ ମାସରୁ ଅଧିକ ଦିନ ହେବ ଚାଲିଛି ।   ଏହି ହିଂସା କାରଣରୁ ରାଜ୍ୟରେ ଅତ୍ୟାବଶକୀୟ ସାମଗ୍ରୀର ଦାମ ଏବେ ଆକାଶଛୁଆଁ ହୋଇଛି । ଏଟିଏମରୁ ନଗଦ ଟଙ୍କା ସରିଯାଇଥିବା ବେଳେ ପେଟ୍ରୋଲ ଅଭାବ କାରଣରୁ କଳାବଜାରୀମାନେ ଲିଟର ପ୍ରତି ୨୦୦ଟଙ୍କାରୁ ଅଧିକ ଦାମରେ ବିକ୍ରି କରୁଛନ୍ତି । ଏହାସହ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏବେ ମଣିପୁରରେ ଜୀବନ ରକ୍ଷାକାରୀ ଔଷଧର ଅଭାବ ପଡିଛି । ଫଳରେ ଔଷଧ ଦୋକାନଗୁଡିକ ଦିନରେ କିଛି ଘଣ୍ଟାମାତ୍ର ଦୋକାନ ଖୋଲିବା ପରେ ବନ୍ଦ କରିଦେଉଛନ୍ତି ।

ମଣିପୁରରେ ଲାଗି ରହିଥିବା ହିଂସା କାରଣରୁ ଏପର୍ଯ୍ୟନ୍ତ ଶହ ଶହ ଲୋକ ନିଜ ବାସସ୍ଥାନ ହରାଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ ବାସସ୍ଥାନ ହରାଇଥିବା ଲୋକଙ୍କ ପାଇଁ ଦିମାପୁର ଓ ଗୋହାଟୀ ଠାରେ ୨୭୨ଟି ଆଶ୍୍ରୟ ସ୍ଥଳ ଖୋଲାଯାଇଛି । ଏଥିରେ ଏବେ ୩୭,୪୫୦ ଲୋକ ରହିଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ସକଳ ଚେଷ୍ଟା, କେନ୍ଦ୍ର ଗୃହମନ୍ତ୍ରୀ ମଣିପୁର ଗସ୍ତ କରି ଘନ ଘନ ବୈଠକ କରିବା ପରେ ବି ହିଂସା ଜାରୀ ରହିଛି । ବଡ ଧରଣର ହିଂସାକୁ ରୋକିବାରେ ପ୍ରଶାସନ ସଫଳ ହୋଇଥିବା ବେଳେ ଏବେ ବି ଛୋଟ ଛୋଟ ହିଂସା ଦେଖିବାକୁ ମିଳିଛି । ଫଳରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଖାଦ୍ୟ ସାମଗ୍ରୀ ଠିକ୍ ଭାବେ ମଣିପୁରରେ ପହଂଚିପାରୁ ନାହିଁ ।

ଏସବୁ ବାଧା ଫଳରେ ରାତା ରାତି ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । ପେଟ୍ରୋଲ ଟାଙ୍କିକୁ ପେଟ୍ରୋଲ ଯୋଗାଣ ହୋଇନପାରିବାରୁ ମଣିପୁରରେ ଖୋଲାବଜାରରେ କଳାବଜାରୀମାନେ ପେଟ୍ରୋଲ ଲିଟର ପ୍ରତି ୨୦୦ ଟଙ୍କାରେ ବିକ୍ରି କରୁଛନ୍ତି ।

ସେପଟେ କିଛିଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଣିପୁର ଗସ୍ତରେ ଯାଇ ଘନ ଘନ ବୈଠକ କରିଥିଲେ । ସେ ମଣିପୁରରୁ ଫେରିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ କି, ଗ୍ୟାସ ସିଲିଣ୍ଡର, ପେଟ୍ରୋଲ ଓ ପନି ପରିବା ଯେଭଳି ରାଜ୍ୟରେ ଅଭାବ ନହେବ ସେନେଇ ବ୍ୟବସ୍ଥା କରାଯାଇଛି । ହେଲେ ଏବେର ସ୍ଥିତି ଦେଖିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଲୋକଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣ ନେଇ ଯାହା କୁହାଯାଇଥିଲା ତାହା ଶତ ପ୍ରତିଶତ ପୂରଣ ହୋଇନାହିଁ ।