ପଞ୍ଚାୟତ ପାଇଁ ଚାଲିଛି ଭିତିରି ପ୍ରସ୍ତୁତି । ତାରିଖ ଘୋଷଣା ପୂର୍ବରୁ ରାଜନୈତିକ ଦଳର ରଣନୀତି । ବିଜେପି ପାଇଁ ମୈଦାନକୁ ଓହ୍ଲାଇବେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ।

281

କନକ ବ୍ୟୁରୋ: ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି କିନ୍ତୁ ପଞ୍ଚାୟତଗୁଡିକୁ କିପରି ନିଜ କବଜାକୁ ଆଣିବେ, ସେ ନେଇ ଭିତରେ ଭିତରେ ରଣନୀତି ପ୍ରସ୍ତୁତ କରିଲେଣି ରାଜନୈତିକ ଦଳ । ୨୦୧୭ ନିର୍ବାଚନରେ ଆଶାଠାରୁ ଅଧିକ ସଫଳତା ପାଇଥିବା ବିଜେପି, ୨୦୨୨ରେ ଶାସକ ଦଳକୁ ଟପିଯିବା ପାଇଁ କସରତ ଆରମ୍ଭ କରିଦେଇଛି । ଶୁଣିବାକୁ ମିଳୁଛି, ଅଗଷ୍ଟ ୧୫ ତାରିଖ ପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।

ବିଜେପିର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା । ନେତା, ଛାମୁଆ ନେତା ଓ କର୍ମୀମାନେ ପଦଯାତ୍ରା କରି ଆବାସ ଯୋଜନା ଦୁର୍ନୀତି, ରାସନ କାର୍ଡ ଦୁର୍ନୀତି ଭଳି ପ୍ରସଙ୍ଗକୁ ଲୋକଙ୍କ ନିକଟରେ ରଖିବେ । ସେପଟେ ପୁଣିଥରେ ପଞ୍ଚାୟତ ରାଜନୀତିକୁ ସଂପୂର୍ଣ୍ଣ ଅକ୍ତିଆରରେ ରଖିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ସବୁଠୁ ଗୁରୁତ୍ୱ କଥା ହେଲା, ବଡ଼ ରାଲି କି ସଭା ନୁହେଁ ପଞ୍ଚାୟତ ନିର୍ବାଚନରେ ମାଇକ୍ରୋ ମ୍ୟାନେଜମେଣ୍ଟ ଉପରେ ଫୋକସ କରିବ ଦଳ । ଆଗଧାଡ଼ିରେ ରହିବେ ଛାତ୍ର ଓ ଯୁବ ନେତା ।

ଛୋଟ ଛୋଟ ଗ୍ରୁପରେ ଭାଗ ହୋଇ ପ୍ରଥମ ପର୍ଯ୍ୟାୟରେ ସବୁ ଗାଁ ଓ ଗ୍ରାମ ପଞ୍ଚାୟତକୁ ଯିବେ ଛାତ୍ର ନେତା । ଏହାପରେ ବିଜେଡିର ଯୁବ ନେତା ଗାଁ ଗାଁ ବୁଲି ଜନମତକୁ ପ୍ରଭାବିତ କରିବେ । ପରେ ପାଳି ଆସିବ ମହିଳା ନେତ୍ରୀଙ୍କର । ତିନି ଛାମୁଆ ସଂଗଠନର ନେତା ଗାଁ ଗାଁରେ ସଂଗଠନକୁ ସଜାଡିବା ପରେ ପର୍ଯ୍ୟବେକ୍ଷକଙ୍କୁ ଦାୟତ୍ୱ ଦିଆଯାଇଛି ଯେ ସେମାନେ ଦଳ ଭିତରେ ଥିବା ମନୋମାଳିନ୍ୟ ଦୂର କରିବେ ।

ଏସବୁ କାମ ସରିବା ବେଳକୁ ଅକ୍ଟୋବର ୨ ହୋଇ ସାରିଥିବ ଓ ଦଳର ପଦଯାତ୍ରା ଆରମ୍ଭ ହୋଇଯିବ । କିଛି ଏଭଳି ଢଙ୍ଗରେ ପଞ୍ଚାୟତ ପ୍ଲାନ ତିଆରି କରିଛି ବିଜେଡି । ବଡ଼ କଥା ହେଉଛି ଅଗଷ୍ଟ ୧୫ରେ ଯେଉଁ ଯୋଜନା ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ତାକୁ ମଧ୍ୟ ଗାଁ ଗାଁରେ ପହଁଚାଯିବ । ସେପଟେ କଂଗ୍ରେସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପଞ୍ଚାୟତ ନିର୍ବାଚନକୁ ୬ ମାସ ବାକି ଅଛି । ହେଲେ ଏବେଠାରୁ ନିର୍ବାଚନ ମଇଦାନ ପାଇଁ ପ୍ରସ୍ତୁତ ହୋଇଗଲେଣି ନେତା ।