ଲଦାଖ ସୀମାରେ ସୁଧୁରୁଛି ପରିସ୍ଥିତି । କମାଣ୍ଡର ସ୍ତରୀୟ ବୈଠକ ପରେ ଗୋଗ୍ରା ହାଇଟ୍ସରୁ ପଛକୁ ହଟିଲା ଭାରତ ଓ ଚୀନ ସେନା ।

99

କନକ ବ୍ୟୁରୋ: ଭାରତ ଚୀନ୍ ସୀମାରେ ଦୀର୍ଘ ମାସ ଧରି ଲାଗିରହିଥିବା ଗତିରୋଧ ପରେ ଏବେ ସ୍ଥିତି ସାମାନ୍ୟ ହେବାକୁ ଲାଗିଛି । ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୁଝାମଣା ପରେ ପିଏଲଏ ପଛକୁ ହଟିଛି । ଗତ ସପ୍ତାହରେ ଭାରତ-ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ପରେ ଏବେ ଏଲଏସିର ବିବାଦୀୟ ଗୋଗ୍ରା କ୍ଷେତ୍ରରୁ ଉଭୟ ଦେଶର ସେନା ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି ।

ଜୁଲାଇ ୩୧ରେ ଲଦାଖର ମୋଲ୍ଡୋ ମିଟିଂ ପଏଣ୍ଟରେ ଭାରତୀୟ ସେନା ଓ ପିଏଲଏ ମଧ୍ୟରେ ୧୨ ତମ କମାଣ୍ଡର ସ୍ତରୀୟ ବୈଠକ ହୋଇଥିଲା । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି ।

  • ଉଭୟ ପକ୍ଷ ସୀମା ବିବାଦର ସମାଧାନ ପାଇଁ ରାଜି ହୋଇଛି
  • ଗୋଗ୍ରା ପଏଣ୍ଟରୁ ସେନା ପ୍ରତ୍ୟାହାର ପାଇଁ ଉଭୟ ସହମତି ପ୍ରକାଶ କରିଛନ୍ତି
  • ମେ ମାସ ୨୦୨୦ରୁ ଗୋଗ୍ରା ପଏଣ୍ଟରେ ମୁହାଁମୁହିଁ ପରିସ୍ଥିତିରେ ରହିଛି ଦୁଇ ଦେଶର ସେନା
  • ଗୋଗ୍ରାରୁ ସମସ୍ତ ଅସ୍ଥାୟୀ କ୍ୟାମ୍ପ ହଟାଇବାକୁ ମଞ୍ଜୁର
  • ଉଭୟ ସେନା ପ୍ରକୃତ ନିୟନ୍ତ୍ରଣ ରେଖାରେ ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି

ଦୀର୍ଘ ଦିନ ପରେ ଏବେ ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ହେଉଛି । ଭାରତ ଚୀନ୍ ଚୁକ୍ତି ଅନୁଯାୟୀ ସୀମାରୁ ସେନା ପ୍ରତ୍ୟାହାର ପରେ ବିବାଦର ସ୍ଥାୟୀ ସମାଧାନର ବାଟ ଫିଟିଛି । ଅପରପକ୍ଷରେ ୨୦୨୦ ଏପ୍ରିଲ ପୂର୍ବ ସ୍ଥିତି ଫେରିଆସିବା ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଭାରତ ଚୀନ୍ ମଧ୍ୟରେ ଗତବର୍ଷ ଜୁନ୍ ମାସରୁ ଲଦାଖ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିଲା । ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ବିବାଦର ସମାଧାନ ପାଇଁ ଦୁଇ ଦେଶର ସେନା ମଧ୍ୟରେ ବୈଠକ ପରେ ବୈଠକ ବସିଥିଲା । ଆଉ ଏବେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ଧିରେ ଧିରେ ପଛକୁ ହଟୁଛି ଡ୍ରାଗନ ।