ବଜ୍ରପାତ ନେଲା ତିନି ଜୀବନ । ବାଲେଶ୍ୱର ଓ ଯାଜପୁରରୁ ଆସିଲା ଅଭାବନୀୟ ଘଟଣା ।

67

କନକ ବ୍ୟୁରୋ: ବଜ୍ରାଘାତ ନେଲା ତିନି ଜୀବନ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବିବେକ ଖୁଂଟିଆଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି । ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭୁବନପୁର ଗ୍ରାମରେ ଦୁଇଜଣ ଯୁବକ ପ୍ରାଣ ହରାଇଛନ୍ତି । ଖଇରା ବ୍ଲକ ନୟାଖଣ୍ଡି ପଂଚାୟତ କଅଁଳଖୁଂଟା ଗ୍ରାମର ବିବେକ ଚାଷ ଜମିକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଧର୍ମଶାଳା ବ୍ଲକ ଭୁବନପୁର ଗ୍ରାମର ବାଂଝା ମଲିକ ଓ ଚନ୍ଦନ ମଲିକ ନିଜ ଘରପାଖ ବିଲକୁ ଘାସ ଆଣିବାକୁ ଯାଇଥିଲେ । ତେବେ ଏହି ସମୟରେ ହଠାତ୍ ବଜ୍ରାଘାତ ହେବାରୁ ଦୁଇଜଣ ଯାକ ବିଲ ମଝିରେ ଟଳି ପଡ଼ିଥିଲେ । ବିଲରୁ କାମ ସାରି ଫେରୁଥିବା କିଛି ଲୋକେ ଦୁଇଜଣଙ୍କୁ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଯାହା ପରେ ସେମାନେ ତୁରନ୍ତ ଦୁହିଁଙ୍କୁ ହସ୍ପିଟାଲରେ ଭର୍ତି କରାଇଥିଲେ । କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ଦୁଇଜଣଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକ ଖେଳିଯାଇଛି ।