ମୌସୁମୀ ସରିଆସୁଥିବା ବେଳେ କୋଲାବ ଓ ତେଲେଙ୍ଗିରି ଜଳଭଣ୍ଡାରରୁ ଆସିଲା ଖୁସି ଖବର । ଚାଷ ପାଇଁ ଡ୍ୟାମରେ ପର୍ଯ୍ୟାପ୍ତ ଜଳ ମହଜୁଦ ଥିବା କହିଲେ ଅଧିକାରୀ ।

57

କନକ ବ୍ୟୁରୋ: ମୌସୁମୀ ସରିଆସୁଥିବା ବେଳେ ଚଳିତ ବର୍ଷ କୋଲାବ ଓ ତେଲେଙ୍ଗିରି ଜଳ ଭଣ୍ଡାର ପାଇଁ ଖୁସି ଆଣି ଦେଇଛି । ଆଶା ଅନୁସାରେ ଡ୍ୟାମରେ ଜଳସ୍ତର ପର୍ଯ୍ୟାପ୍ତ ରହିଛି । ଯେଉଁ କାରଣରୁ ଆଗାମୀ ରବି ଚାଷ ଓ ବିଦ୍ୟୁତ ଉତ୍ପାଦନ ପାଇଁ କୌଣସି ସମସ୍ୟା ହେବ ନାହିଁ । କୋଲାବ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୮୫୮ ମିଟର ରହିଥିବା ବେଳେ ବର୍ତ୍ତମାନ ଏହା ୮୫୪.୯୦ ମିଟର ରହିଛି । ଯାହାକି ଗତ ବର୍ଷ ତୁଳନାରେ ୩ ମିଟର ପାଣି ବଢିଛି । ଗତ ବର୍ଷ ଏହି ସମୟରେ ୮୫୧.୬୧ ମିଟର ଜଳସ୍ତର ରହିଥିଲା । ସେହିପରି ତେଲେଙ୍ଗିରି ଡ୍ୟାମର ଜଳ ଧାରଣ କ୍ଷମତା ୬୩୩ ମିଟର ରହିଥିବା ବେଳେ ବର୍ତ୍ତମାନ ରହିଛି ୬୩୦.୨୫ ମିଟର । ଏହି ଡ୍ୟାମରେ ବିଦ୍ୟୁତ ଉତ୍ପାଦନ ହୁଏ ନାହିଁ । କେବଳ ଚାଷ ପାଇଁ ପାଣି ଯୋଗାଇ ଥାଏ । ତେଣୁ ପାଣିର ସଙ୍କଟ ପାଇଁ କୌଣସି ସମସ୍ୟା ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ ।

ସେପଟେ ସ୍ଥିର ରହିଛି ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରର ଜଳସ୍ତର । ଚଳିତ ବର୍ଷ ଚିତ୍ରକୋଣ୍ଡାରେ କମ ବର୍ଷା ଯୋଗୁଁ ଗତ ତିନି ସପ୍ତାହ ଧରି ବାଲିମେଳା ଜଳଭଣ୍ଡାରର ଜଳସ୍ତର ସ୍ଥିର ରହିଛି । ଚିତ୍ରକୋଣ୍ଡା ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୮ ଫୁଟ୍ ରହିଛି । ଗତବର୍ଷ ବାଲିମେଲା ଜଳଭଣ୍ଡାରର ଜଳସ୍ତର ୧୪୮୩.୬୦ ଫୁଟ୍ ରହିଥିଲା । କିନ୍ତୁ ଚଳିତ ବର୍ଷ ଏହା ୧୪୮୦.୪୦ ଫୁଟ୍ ରହିଛି । ଯଦି ଆଗାମୀ ୨ରୁ ୩ ସପ୍ତାହ ଭିତରେ ବର୍ଷାର ପ୍ରଭାବ ବଳବତ୍ତର ରହିବ, ତା ହେଲେ ଜଳସ୍ତର ବଢ଼ିବ ବୋଲି ବାଲିମେଳା ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି । ବର୍ତ୍ତମାନ ବାଲିମେଳା ଜଳଭଣ୍ଡାରରେ ଯେତିକି ଜଳ ରହିଛି, ବିଦ୍ୟୁତ ଉତ୍ପାଦନର ଏହା କୌଣସି ବାଧା ସୃଷ୍ଟି କରିବନି ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।